କେତେ ସ୍ୱପ୍ନ ଦେଖିଥିଲା କଣ୍ଢେଇ । ସବୁ ଝିଅଙ୍କ ପରି ବାହା ହୋଇ ଶାଶୁ ଘରକୁ ଯିବ । ସେଠାରେ ଶାଶୁ ଶଶୁର ଓ ନଣନ୍ଦଙ୍କଠୁ ସ୍ନେହ ଓ ଭଲ ପାଇବା ପାଇବ । ସ୍ୱାମୀଙ୍କୁ ନେଇ ଘର ସଂସାର କରିବ । କିନ୍ତୁ କଣ୍ଢେଇର ସବୁ ସ୍ୱପ୍ନ ଚୁରମାର ହୋଇଗଲା । ବାହାଘରର କିଛି ମାସ ପରେ ଆରମ୍ଭ ହୋଇଗଲା ନିର୍ଯାତନା । ସ୍ୱାମୀ ବେଙ୍ଗାଲୁରୁରେ ଚାକିରି କରୁଥିବାବେଳେ କଣ୍ଢେଇ ଶାଶୁ ଘରେ ନିର୍ଯାତନାର ଶିକାର ହେଉଥିଲା । ବାହାଘରର ଚାରି ବର୍ଷ ପରେ ବି ଯୌତୁକର ଲୋଭ ଶାଶୁଘର ଲୋକଙ୍କୁ ଏମିତି ଗ୍ରାସ କରିଥିଲା ଯେ, ତାର ହାତ ଗୋଡ ବାନ୍ଧି କିରୋସିନୀ ଢାଳି ଜୀଅନ୍ତା ଜାଳିଦେଇଥିଲେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶଘାଇ ଥାନା ତିଖିରି ପଞ୍ଚାୟତ ବାଲିସୁଆଁ ଗାଁରେ । ଗାଁର ନିଶାମଣି ସାହୁଁଙ୍କ ସାନ ବୋହୂ କଣ୍ଢେଇକୁ ଶାଶୁ ଓ ନଣନ୍ଦ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଗୁରୁତରେ ଅବସ୍ଥାରେ କଟକ ବଡ ମେଡିକାଲରେ କଣ୍ଢେଇର ମୃତୁ୍ୟ ହୋଇଥିବାବେଳେ ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here