ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ସାଂସଦ ନା ନିର୍ବାଚିତ ବିଧାୟକଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ, ଜଣେ ଓଡିଆ ପୁଅ କି ଝିଅ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ । ଯଦି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଥା ଆଲୋଚନା ହେଉଛି, ତେବେ ପ୍ରଥମେ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ । ସେ ଏକାଧିକ ଥର କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଆସିଛନ୍ତି ଏବଂ ଓଡିଶାରେ ତାଙ୍କର ପ୍ରଭାବ ରହିଛି । ପୂର୍ବରୁ ମଧ୍ୟ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଉଭୟ ବିଧାୟକ ଓ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିବାର ଅଭିଜ୍ଞତା ତାଙ୍କର ରହିଛି । କିନ୍ତୁ ଏଥର ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବାରୁ ଦଳ ତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ପଦବୀରେ ବସାଏ, ତେବେ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ହେବ ଏବଂ ଛ ମାସ ମଧ୍ୟରେ ପୁଣି ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ସେହିପରି ଅନ୍ୟ ଯୋଗ୍ୟ ସାଂସଦଙ୍କ ମଧ୍ୟରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ମାତ୍ର କେନ୍ଦ୍ରୀୟ ନେତୃତ୍ବ ଯଦି ଜଣେ ନିର୍ବାଚିତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିଷ୍ପତ୍ତି ନେଉଥିବେ, ତେବେ ସେମାନଙ୍କ ମଧ୍ୟରେ ଯୋଗ୍ୟ ତଥା ଚର୍ଚ୍ଚିତ ଚେହେରା ମଧ୍ୟରେ ଅଛନ୍ତି ସୁରେଶ ପୂଜାରୀ । ଏଥର ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ସେ ବରଗଡ ଲୋକସଭା ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମଧ୍ୟ ସେ ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ବ ସଂପାଦନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଏମଏସସି ଏବଂ ଏଲଏଲବି ପାଶ୍ କରିଛନ୍ତି । 63 ବର୍ଷୀୟ ସୁରେଶ ପୂଜାରୀଙ୍କ ବ୍ୟକ୍ତିତ୍ବ ଅତି ସାଧାରଣ, ସରଳ ଏବଂ ମେଳାପୀ । ସବୁଠୁ ବଡକଥା ହେଉଛି, ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ମଧ୍ୟ ନାହିଁ ।
ଦଳର ଅନ୍ୟ ଦୁଇଜଣ ଚର୍ଚ୍ଚିତ ଯୁବ ଚେହେରା ହେଉଛନ୍ତି ଧାମନଗର ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା 28 ବର୍ଷୀୟ ଯୁବ ନେତା ସୂର୍ଯ୍ୟବଂଶୀ ସୂରଜ ଓ ଚଳିତ ନିର୍ବାଚନରେ କଣ୍ଟାବାଞ୍ଝି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା 48 ବର୍ଷୀୟ ଲକ୍ଷ୍ମଣ ବାଗ୍ । ସୂର୍ଯ୍ୟବଂଶୀ ସୂରଜ ଦିବଙ୍ଗତ ନେତା ବିଷ୍ଣୁଚରଣ ସେଠୀଙ୍କ ପୁଅ ଏବଂ ତୃଣମୂଳସ୍ତରରେ ତାଙ୍କର ଭଲ ପ୍ରଭାବ ତଥା ଲୋକସଂପର୍କ ରହିଛି । ସେ ସୋଆ ବିଶ୍ବବିଦ୍ୟାଳୟରୁ ବିଟେକ୍ କରିଛନ୍ତି । ମାତ୍ର ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି ଲକ୍ଷ୍ମଣ ବାଗ୍ । ଚାଷୀ ପରିବାରରୁ ଆସିଥିବା ଲକ୍ଷ୍ମଣ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କିନ୍ତୁ କଣ୍ଟାବାଞ୍ଝି ଭଳ ଏକ ପଛୁଆ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବାରୁ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସବୁବେଳେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା ବଲାଙ୍ଗୀର ଓ କଣ୍ଟାବାଞ୍ଝି ଅଞ୍ଚଳର ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ନେତୃତ୍ବ ରାଜ୍ୟବାସୀଙ୍କୁ ଚକମା ଦେଖାଇବାର ସମ୍ଭାବନା ରହିଛି । ମାତ୍ର ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି ଏବଂ ସେ ମାତ୍ର ଦଶମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ।

LEAVE A REPLY

Please enter your comment!
Please enter your name here