ପୁରୀ : ଆଡପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ଖସିପଡିଲେ ବଡ ଠାକୁର ବଳଭଦ୍ର । ସେବାୟତମାନେ ବଡ ଠାକୁରଙ୍କୁ ପହଣ୍ଡି କରି ଆଣୁଥିବା ବେଳେ ଚାରମାଳ ଉପରେ ସେବାୟତମାନେ ବଡଠାକୁରଙ୍କୁ ଧରିବାରେ ଭାରସାମ୍ୟ ହରାଇଥିଲେ । ଫଳରେ ରଥ ଉପରୁ ତଳକୁ ଓହ୍ଲାଇବା ବେଳେ ବଡଠାକୁର ସମ୍ମୁଖ ଭାଗକୁ କିଛି ସେବାୟତଙ୍କ ଉପରକୁ ମୁହଁମାଡି ହାମୁଡେଇ ପଡିଥିଲେ । ଫଳରେ ବଡ ଠାକୁରଙ୍କ ଚାପାରେ ସାତ ଜଣ ସେବାୟତ ଆହତ ହୋଇଛନ୍ତି । ଆହତ ସମସ୍ତ ସେବାୟତଙ୍କୁ ଚିକିତ୍ସା ପାଇଁ ପୁରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବଡଠାକୁର ଚାରମାଳ ଉପରେ ଖସି ପଡିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେବାୟତଙ୍କ ଅସାବଧାନତା ପାଇଁ ଅଥବା ବେପରଓ୍ବା ମନୋଭାବ ପାଇଁ ବଡ ଠାକୁର ଖସି ପଡିଲେ, ତାକୁ ନେଇ ବିଶ୍ଳେଷଣ ଆରମ୍ଭ ହୋଇଛି । ପହଣ୍ଡି ବେଳେ କିଛି ସେବାୟତ ଠାକୁରଙ୍କୁ ପଛପଟୁ ଦଉଡି ମାଧ୍ୟମରେ ଟାଣି ଧରିଥାନ୍ତି । ଆଉ କିଛି ସେବାୟତ ସାମନା ପଟୁ ପିଠି ଲଗାଇ ଭାରସାମ୍ୟ ରକ୍ଷା କରିଥାନ୍ତି । ରଥ ଉପରୁ ଚାରମାଳ ଦେଇ ଓହ୍ଲାଇବା ବେଳେ ସେବାୟତମାନେ ସାବଧାନତା ସହ ପହଣ୍ଡି କରାଇଥାନ୍ତି । ଅଭିଜ୍ଞ ସେବାୟତଙ୍କୁ ପହଣ୍ଡି ବେଳେ ନିୟୋଜିତ କରାଯାଇଥାଏ । ତେବେ ବଡ ଠାକୁରଙ୍କ ଖସି ପଡିବା ଘଟଣା ଭକ୍ତଙ୍କ ମନରେ ଆଘାତ ଦେଇଛି । ବଡଠାକୁରଙ୍କ ଖସି ପଡିବା ଅଘଟଣ ଯୋଗୁ ପହଣ୍ଡି କାର୍ଯ୍ୟ କିଛି ସମୟ ପାଇଁ ବ୍ୟାଘାତ ହୋଇଥିଲା । ପରେ ସେବାୟତମାନେ ତିନି ଠାକରଙ୍କୁ ପହଣ୍ଡି କରି ଆଡପ ମଣ୍ଡପକୁ ବିଜେ କରାଇଛନ୍ତି ।