ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଚାଷୀକୁ ମୋହରା କରିବା ଆରମ୍ଭ କଲେଣି । ୧୮ ବର୍ଷ ଧରି କ୍ଷମତା ବାହାରେ ଥିବା ଓଡିଶା କଂଗ୍ରେସ ଏବେ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଚାଷୀଙ୍କୁ ମୋହରା କରିଛି ।
ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବ ବୋଲି ଦଳର ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ରାଜ୍ୟରେ ୧୮ ବର୍ଷ ଧରି ସରକାରରେ ଥିବା ଆଞ୍ଚଳିକ ଦଳ ବିଜେଡ଼ି ମଧ୍ୟ ଚାଷୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ବିଷ ଉଦଗାରିବା ଆରମ୍ଭ କରିଛି । ଜାନୁଆରୀ ୮ରେ ଧାନର ଏମଏସପି ମୂଲ୍ୟ ବୃଦ୍ଧି ନେଇ ସଂସଦ ଆଗରେ ବିକ୍ଷୋଭ କରିବା ନେଇ ନିଷ୍ପତି ନେଇଛି । ଏହା ମଧ୍ୟରେ ରାଜ୍ୟ ବିଜେପି ମଧ୍ୟ ଆଜି ଏକ ପ୍ରେସମିଟରେ ରାଜ୍ୟ ସରକାରଙ୍କ ବିରୋଧରେ ମଣ୍ଡି ଘେରାଉ ଆନ୍ଦୋଳନ ଡାକରା ଦେବା ସହିତ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛି । ଅନ୍ୟପକ୍ଷେ ବିଜେପିର ମଣ୍ଡି ଘେରାଉ ଆନ୍ଦୋଳନ ଡାକରାର ଜବାବ ରଖିଛି ବିଜେଡି। ଚାଷୀ ଅବହେଳା ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ବିଜେଡି କହିଛି ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସାରା ଓଡ଼ିଶାରେ ମଣ୍ଡିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବା ଅଭିଯୋଗ ଆଣିଛନ୍ତି । ସେ ଆଜି ଠାରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ମଣ୍ଡି ଚାଲ ଅଭିଯାନ କରିବା ନେଇ ଦଳୀୟ କର୍ମୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି ଅଭିଯାନରେ ସବୁ ମଣ୍ଡି ଆଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସେ କହିଛନ୍ତି। ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ରାଜ୍ୟ ସରକାର ଓ ମିଲରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି। କୃଷି ଋଣ ଛାଡ଼ ଦାବିରେ ଆସନ୍ତା ୮ ତାରିଖରେ ସଚିବାଳୟ ଘେରାଉ କରାଯିବ । ଏତଦବ୍ୟତିତ ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here