ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ । ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ .. ର ଗ୍ରାଣ୍ଡ ଫିନାଲେ । ଅଡିସନ ରାଉଣ୍ଡରେ
ଭାଗ ନେଇଥିବା ପଚାଶ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ 36 ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିଲା । ମଞ୍ଚରେ ଚାରିବର୍ଷର କୁନି କଳାକାରଙ୍କଠୁ ଆରମ୍ଭ କରି 35 ବର୍ଷର ଯୁବ ସଙ୍ଗୀତକାରଙ୍କ ଶ୍ଗୀଜଗନ୍ନାଥ ଭଜନରେ ତଲ୍ଲୀନ ହୋଇଯାଇଥିଲେ ଦର୍ଶକ । ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଭଜନର ମୂଲ୍ୟାୟନ କରିବା ପାଇଁ ମଞ୍ଚରେ ଉପସ୍ଥିତ ଥିଲେ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ, ମହାପାତ୍ର ମିନତୀ ଭଞ୍ଜ ଏବଂ ମହାପ୍ରସାଦ କର । ସେହିପରି ପ୍ରତିଷ୍ଠିତ ବାଦ୍ୟଯନ୍ତ୍ରକାର ଅଜୟ ଚୌଧୁରୀ, ଶିବ ନାରାୟଣ ମହାନ୍ତି, ବଳରାମ ବଳ ଓ ପର୍ଶୁରାମ ସାମିଲ ହୋଇଥିଲେ । ପ୍ରତିଷ୍ଠିତ ସଙ୍ଗୀତ ଗୁରୁ ଓ ବାଦ୍ୟଯନ୍ତକାରଙ୍କ ଉପସ୍ଥିତି କୁନି କଳାକାରଙ୍କୁ ଉତ୍ସାହିତ କରିଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇ କୃତି କଳାକାରଙ୍କୁ ପୁରସ୍କୃତ କରିଥିଲେ ।
ଗ୍ରାଣ୍ଡ୍ ଫିନାଲେରେ ସବ୍ ଜୁନିଅର ବର୍ଗରେ ପ୍ରଥମ ହୋଇଥିଲେ ସାଇ ଶ୍ରେୟାଂଶ ନାୟକ, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ଦିବ୍ୟାଂଶୁ ଶେଖର ସାହୁ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ସୌମ୍ୟଶ୍ରୀ ମୁଦୁଲି । ସେହିପରି ଜୁନିଅର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଧୃତିଦୀପା ପାତ୍ର, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ତନୁଶ୍ରୀ ଜେନା, ତୃତୀୟ ସ୍ଥାନ ହାସଲ କରିଥିଲେ ସଂସ୍କୃତି ଶର୍ମା । ସିନିଅର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ ମୌସୁମୀ ମହାପାତ୍ର, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ସତ୍ୟବ୍ରତ ଜେନା ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ସସ୍ମିତା ସାହୁ । ସବ୍ ଜୁନିଅର ବର୍ଗରେ ଚାରିବର୍ଷର କୁନି କଳାକାର ସାଇ ସଂପନ୍ନା ପୃଷ୍ଟିଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜଳନ ଏବଂ ଲିତା ଦାସଙ୍କ ଦ୍ବାରା ବେଦପାଠ କରାଯାଇ ଭଜନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ତକ୍ଷକ ଟିଭିର ସଂପାଦକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ସହ ଡିଜିଟାଲ ଚ୍ୟାନେଲର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି ।

LEAVE A REPLY

Please enter your comment!
Please enter your name here