ଚନ୍ଦ୍ରାୟନ-3 ଆଉ ଅଳ୍ପ କେଇଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ସମଗ୍ର ବିଶ୍ବ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି । ଜୁଲାଇ 14 ରେ ଚନ୍ଦ୍ରାୟନ -3 ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା । ଚନ୍ଦ୍ରପୃଷ୍ଟରେ ପହଞ୍ଚିବା ପାଇଁ ଅଗଷ୍ଟ 23 ତାରିଖକୁ ଆକଳନ କରିଥିଲା ଇସ୍ରୋ । ଇସ୍ରୋ ଆକଳନ ଅନୁଯାୟୀ ସବୁ କିଛି ଠିକଠାକ୍ ଚାଲିଛି ଏବଂ ଆଉ ଅଳ୍ପ କେଇଘଣ୍ଟା ପରେ ଅର୍ଥାତ 23 ତାରିଖ ସଂଧ୍ୟା 6 ଟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରାୟନ । ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର୍ ଏବେ ଚନ୍ଦ୍ରର ଅତି ନିକଟରେ ରହିଛି ଏବଂ ଇସ୍ରୋ ନିକଟକୁ ଫଟୋ ଓ ଭିଡିଓ ପଠାଇବା ଆରମ୍ଭ କରିଛି । ତେବେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ 19 ମିନିଟ୍ ହେଉଛି ଗୁରୁତ୍ବପୂର୍ଣ୍ଣ । ପ୍ରଜ୍ଞାନ ରୋଭର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ବିକ୍ରମ ଲ୍ୟାଣ୍ଡର ଠାରୁ ଅଲଗା ହୋଇଯିବ । ଏହି ଐତିହାସିକ ମୁହୂର୍ତ୍ତକୁ ସମଗ୍ର ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଚନ୍ଦ୍ରାୟନର ସଫଳତା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ପ୍ରାର୍ଥନା, ପୂଜାର୍ଚ୍ଚନା କରୁଛନ୍ତି । ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରାୟନ 3 ର ଗତିବିଧି ଉପରେ ନଜର ରଖିଛନ୍ତି । ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରାୟନ ଏପର୍ଯ୍ୟନ୍ତ ଠିକ୍ ଭାବେ କାର୍ଯ୍ୟ କରୁଛି ।