ନେତୃତ୍ବ ପରିବର୍ତ୍ତନ ପାଇଁ କଂଗ୍ରେସରେ ଚାପ ବଢି ବଢି ଚାଲିଛି । 2019 ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବି ଦଳରେ ସଂସ୍କାର ଆସିପାରିଲାନି । ବରଂ ଦଳ ଦିନିକୁ ଦିନ ତଳକୁ ତଳକୁ ଯାଉଛି । ସାଧାରଣ ନିର୍ବାଚନ ପରେ ରାଜ୍ୟରେ ତିନି ତିନିଟା ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ବି ସରିଲାଣି । ହେଲେ କଂଗ୍ରେସ ମୁଖିଆ ନାହିରେ ତେଲ ପକେଇ ଶୋଇ ପଡିଛନ୍ତି । ଦଳରେ ସୁଧାର ଆଣିବା ଦିଗରେ କେହି କିଛି ପଦକ୍ଷେପ ନେଉ ନାହାଁନ୍ତି । ଦଳର ଆଭିମୁଖ୍ୟକୁ ନେଇ କର୍ମୀଙ୍କଠୁ ନେତାଙ୍କ ଯାଏଁ ସମସ୍ତେ ଅସନ୍ତୁଷ୍ଟ । ତଥାପି ପ୍ରତିକୂଳ ପରିସ୍ଥିତି ଭିତରେ କିଛି ନେତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଦଳର ସ୍ଥିତି ବଜାୟ ରହିଥିଲେ ହେଁ ଅନେକ ନେତା ବିତସ୍ପୃହ ହୋଇ ଦଳ ଛାଡି ଚାଲିଯାଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟନାୟକ ପଦବୀରେ ରହିବା ପାଇଁ ଅନିଚ୍ଛୁକ ବୋଲି କହିବା ପରେ ବି ଦଳୀୟ ନେତୃତ୍ବ ନ ବଦଳିବା ସମସ୍ତଙ୍କୁ ଚକିତ କରିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ବସାଯାଉ ବୋଲି କହିବା ପରେ ଆଜି ତାଙ୍କ ସହ ସ୍ବର ମିଳାଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ । ଜଣେ ବିଧାୟକଙ୍କୁ ପିସିସି ସଭାପତି ପଦର ବସାଯିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ତାରା କହିଛନ୍ତି, ତାଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦେଲେ ସେ ଗ୍ରହଣ କରିବେ ନାହିଁ । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ପଦ କାହିଁକି, ବିଧାୟକ ଦଳ ନେତା ପଦ ମଧ୍ୟ ବଦଳିବା ଆବଶ୍ୟକ ବୋଲି ସେ କହିଛନ୍ତି । ନେତୃତ୍ବ ପରିବର୍ତ୍ତନକୁ ନେଇ ଦଳ ଭିତରେ ଅସନ୍ତୋଷ ବଢି ବଢି ଚାଲିଥିବା ବେଳେ ବିଧାୟକ ଦଳ ନେତା ନରସିଂହ କହିଛନ୍ତି, ସେ କିଛି ଶୁଣୁନାହାଁନ୍ତି , ଜାଣିନାହାନ୍ତି, କି କିଛି କହିବେନି ।

LEAVE A REPLY

Please enter your comment!
Please enter your name here