ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ୬-ସୂତ୍ରୀୟ ବିବୃତ୍ତି ଜାରି କରି ଆମେରିକା ଏବଂ ୟୁରୋପୀୟ ସଂଘର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏହି ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଭାରତ ନିଜର ଜାତୀୟ ସ୍ୱାର୍ଥ ସହ କୌଣସି ପ୍ରକାରର ବୁଝାମଣା କରିବ ନାହିଁ ଏବଂ କୌଣସି ଦେଶର ଦାଦାଗିରି କୁ ବରଦାସ୍ତ କରାଯିବ ନାହିଁ । ୟୁକ୍ରେନର ସଙ୍କଟ ଆରମ୍ଭ ହେବା ପରେ ପାରମ୍ପରିକ ତୈଳ ଯୋଗାଣକାରୀ ଦେଶଗୁଡ଼ିକ ୟୁରୋପକୁ ତୈଳ ଯୋଗାଣ କରିବାରୁ ଭାରତ ଋଷରୁ ତୈଳ ଆମଦାନୀ କରିବାକୁ ବାଧ୍ୟ ହୋଇଥିଲା । ଭାରତର ତୈଳ ଆମଦାନୀ ନିଜ ଦେଶର ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ଶକ୍ତି ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହା ବୈଶ୍ୱିକ ବଜାର ପରିସ୍ଥିତି ଦ୍ୱାରା ସୃଷ୍ଟି ହୋଇଥିବା ଏକ ଆବଶ୍ୟକତା । କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ଦେଶମାନେ ଭାରତକୁ ସମାଲୋଚନା କରୁଛନ୍ତି, ସେମାନେ ନିଜେ ଋଷ ସହିତ ବ୍ୟବସାୟରେ ଲିପ୍ତ ଅଛନ୍ତି । ଆମେରିକା ନିଜେ ଋଷରୁ ଆମଦାନୀ ଜାରି ରଖିଛି । ଏଥିରେ ପରମାଣୁ ଶିଳ୍ପ ପାଇଁ ୟୁରାନିୟମ୍ ହେକ୍ସାଫ୍ଲୋରାଇଡ୍, ଇଭି ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ଦ୍ରବ୍ୟ ଅନ୍ତର୍ଭୁକ୍ତ । ଏହା ଆମେରିକାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି ।
ଏହି ସବୁ ପରିପ୍ରେକ୍ଷୀରେ, ଭାରତକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ଏବଂ ଅଯଥା । ଏକ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ।

LEAVE A REPLY

Please enter your comment!
Please enter your name here