ଆସନ୍ତାକାଲିଠାରୁ ଭାରତ ଉପରେ ଲାଗୁ ହେବ ୫୦% ଆମେରିକୀୟ ଟାରିଫ୍ । ଏହାକୁ ନେଇ ପିଏମଓରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ରପ୍ତାନିକାରୀମାନଙ୍କ ର କଣ କଣ ସମସ୍ୟା ସମ୍ମୁଖୀନ ହେବ, ଏବଂ ସେମାନଙ୍କୁ ସରକାର ପକ୍ଷରୁ କିପରି ସହାୟତା ଦିଆଯାଇପାରିବ ତା ଉପରେ ଆଲୋଚନା ହେବ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ କଟାକ୍ଷ କରି “ସ୍ବାର୍ଥପର” ବୋଲି କହିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି—କୌଣସି ଚାପ ଆସିଲେ ବି ଭାରତ ମୁଣ୍ଡ ନୂଆଁଇବନି । ଅହମଦାବାଦରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ଶୁକ୍ଳ ନୀତି ବିଷୟରେ ଦୃଢ଼ ବୟାନ ରଖିଛନ୍ତି। ସେ କହିଛନ୍ତି , “ଆର୍ଥିକ ସ୍ବାର୍ଥପର ପଦକ୍ଷେପକୁ ସାରା ବିଶ୍ବ ଦେଖୁଛି ଏବଂ ଭାରତ ଏଭଳି ନୀତି ବିରୋଧରେ ସବୁବେଳେ ଠିଆ ହେବ।”
ମୋଦି ଏହା ମଧ୍ଯ ସ୍ପଷ୍ଟ କରି ଭାରତ ମୁଣ୍ଡ ନୂଆଁଇବ ନୁହେଁ, ବରଂ ଦୃଢ଼ ଜବାବ ଦେବ। ଏହାଛଡ଼ା ବିଦେଶରୁ ଆସୁଥିବା ସାମଗ୍ରୀ ବିକ୍ରିରୁ ଦୂରେଇ ରହି ସ୍ବଦେଶୀ ଜିନିଷକୁ ଆପଣାଇବାକୁ ଜନସାଧାରଣଙ୍କୁ କହିଛନ୍ତି ମୋଦୀ। ଆଗକୁ ନବରାତ୍ରୀ, ଦଶହରା, ଧନତେରାଶ, ଦୀପାବଳି ଆସୁଛି। ତେଣୁ ଦୋକାନ ସାମ୍ନାରେ ସ୍ବଦେଶି ସାମଗ୍ରୀ ମିଳୁଥିବା ଲେଖି ବଡ଼ ବଡ଼ ବୋର୍ଡ ଝୁଲାଇବାକୁ ଦୋକାନୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୋଦି।
ଦୁଇଦେଶ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ମଧ୍ୟ ବାତିଲ ହୋଇଛି। ଅପରେସନ ସିନ୍ଦୂର ସମୟରେ ଯୁଦ୍ଧ ବନ୍ଦ କରାଇଥିବା କହି ବାରମ୍ବାର ଶ୍ରେୟ ନେବା ଏବଂ ଭାରତର ପ୍ରତିଷ୍ଠାକୁ ଗୌଣକରିବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ। ତାଙ୍କର କିନ୍ତୁ ଏହି ହୀନ ନୀତି ଆଗରେ ଭାରତ ସରକାର ମୁଣ୍ଡ ନୂଆଁଉନାହାନ୍ତି













