ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ନବୀନ ଲେଖିଛନ୍ତି, ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଦୀର୍ଘଦିନ ଧରି ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କ ତୁମ୍ବି ତୋଫାନ ପରେ ମାମଲା ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଗତକାଲି ଉଭୟ ପକ୍ଷଙ୍କ ଠାରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ସୁପ୍ରିମକୋର୍ଟ ପ୍ରକଳ୍ପକୁ ବିରୋଧ କରି ପିଟିସନ ଦାୟର କରିଥିବା ଉଭୟ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଦେବା ସହ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ 1 ଲକ୍ଷ ଟଙ୍କା ଲେଖାଁଏ ଜୋରିମାନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ 5ଟି ସଚିବ ଭି.କେ. ପାଣ୍ଡିୟାନ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଶ୍ରୀମନ୍ଦିର ଯାଇ ତିନିଠାକୁରଙ୍କ ଦର୍ଶନ କରିଛନ୍ତି ।
ପ୍ରତିକ୍ରିୟା ଦେଇ ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଜୟ ହୋଇଛି । ଚାରିକୋଟି ଓଡିଆଙ୍କ ବିଜୟ ହୋଇଛି । ମହାପ୍ରଭୁ ନିଜ କାର୍ଯ୍ୟ ନିଜେ କରୁଛନ୍ତି । ତେଣୁ ତାଙ୍କରି ଇଚ୍ଛାରେ ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି ।