ଦଳ ରସାତଳକୁ ଯାଉ, ଯିଏ ଯାହା କହୁ ପଛେ, କିନ୍ତୁ ପାଣ୍ଡିୟାନଙ୍କୁ ଛାଡି ପାରିବେନି ନବୀନ । ଓ୍ବକଫ ବିଲ ପ୍ରସଙ୍ଗରେ ବିଜେଡିର ସନ୍ଦେହଜନକ ଭୂମିକାକୁ ନେଇ ଦଳ ଭିତରେ ଝଡ ବହୁଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ନବୀନ । ଦୁଇଟି ଜାତୀୟ ଗଣମାଧ୍ୟମ ଏଜେନ୍ସିକୁ ଡାକି ନବୀନ ସ୍ପଷ୍ଟ କରିଛନ୍ତି ଯେ, ଦଳୀୟ ନିଷ୍ପତ୍ତି ନେବା ପଛରେ ପାଣ୍ଡିୟାନଙ୍କ କୌଣସି ଭୂମିକା ନାହିଁ । ବରଂ ବିଜେଡି ସରକାର ସମୟରେ ପାଣ୍ଡିୟାନ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି ବୋଲି କହି ପ୍ରଶଂସା କରିଛନ୍ତି ନବୀନ । ନବୀନଙ୍କ ମୁହଁରୁ ଏଭଳି ପାଣ୍ଡିୟାନ ପ୍ରଶଂସା ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି । ପାଣ୍ଡିୟାନଙ୍କୁ ସମର୍ଥନ ଓ ବିରୋଧ କରିବା ନେଇ ଏବେ ବିଜେଡି ଦୁଇଭାଗ ହୋଇଯାଇଛି । ଅଳ୍ପ କିଛି ନେତା ପାଣ୍ଡିୟାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ବେଳେ ଦଳର ସିଂହଭାଗ ନେତା ତାଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଏପରିକି ନବୀନ ନିବାସରେ ପାଣ୍ଡିୟାନ ଗୋ ବ୍ୟାକ୍ ଧ୍ବନୀ ଦେବାକୁ ବି ପଛେଇ ନାହାଁନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ପାଣ୍ଡିଯାନଙ୍କ ଯୋଗୁ ଚବିଶ ବର୍ଷର ସରକାର ନିର୍ବାଚନ ହାରିଲା ବୋଲି ପାଣ୍ଡିୟାନ ବିରୋଧୀ ରୋକଠୋକ୍ କହି ଆସୁଥିବା ବେଳେ ପାଣ୍ଡିୟାନ ସପକ୍ଷବାଦୀ ସେମାନଙ୍କୁ ମୁକାବିଲା କରିବାରେ ଲାଗିଛନ୍ତି । ମାତ୍ର କିଛିଦିନର ନିରବତା ପରେ ନବୀନ ପଟ୍ଟନାୟକ ଆଜି ଜାତୀୟ ଗଣମାଧ୍ୟମର ଦୁଇଟି ନ୍ୟୁଜଏଜେନ୍ସି ପ୍ରତିନିଧିଙ୍କୁ ଡାକି ପାଣ୍ଡିୟାନଙ୍କ ପ୍ରଶଂସା କରିବା ଦଳୀୟ ଅସନ୍ତୋଷକୁ ଦ୍ବିଗୁଣିତ କରିଛି । ପାଣ୍ଡିୟାନଙ୍କ ପାଇଁ ଦଳ ଭିତରେ ବିଶୃଙ୍ଖଳା ଚରମ ସମୀରେ ପହଞ୍ଚିଥିବା ବେଳେ ନବୀନ ନିବାସରେ ନବୀନ ପଟ୍ଟନାୟକ ବେଧଡକ ଭାବେ ବିଶ୍ରାମ କରୁଛନ୍ତି । ଦିନକୁ ଦିନ ପାଣ୍ଡିୟାନଙ୍କ ବିରୋଧରେ ଯେପରି ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି, ଏଥିରୁ ସ୍ପଷ୍ଟ ହେଉଛି, ନିକଟ ଭବିଷ୍ୟତରେ ବିଜେଡିର ଏକ ବଡ ଗୋଷ୍ଠୀ ଦଳ ବିଭାଜନ ପାଇଁ ପଦକ୍ଷେପ ନେଇପାରନ୍ତି ।

LEAVE A REPLY

Please enter your comment!
Please enter your name here