ଆଉ ଚାରିମାସ ପରେ ସାଧାରଣ ନିର୍ବାଚନ । ତା ପୂର୍ବରୁ ନାଟକୀୟ ଭାବେ ଇସ୍ତଫା ଦେଇଛନ୍ତି 5ଟି ସଚିବ ଭି.କେ. ପାଣ୍ଡିୟାନ । ଅଚାନକ ପାଣ୍ଡିୟାନଙ୍କ ଇସ୍ତଫା ପଛରେ କି ରାଜନୀତି ରହିଛି, ତାକୁ ନେଇ ସବୁଆଡେ ଚର୍ଚ୍ଚା । 5ଟି ସଚିବ ପଦରେ ଥାଇ ଭି.କେ. ପାଣ୍ଡିୟାନ ପ୍ରଚ୍ଛଦ ପଟ୍ଟରେ ରହି ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରି ଆସୁଥିଲେ । ଜଣେ ବ୍ୟୁରୋକ୍ରାଟ ସରକାରୀ ପଦବୀରେ ରହି ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ବିରୋଧୀ ଆପତ୍ତି ଉଠାଉଥିଲେ । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ସଂପାଦକୀୟ ଲେଖି ପାଣ୍ଡିୟାନଙ୍କୁ କଟୁ ସମାଲୋଚନା କରିବା ପରେ ଦଳରୁ ବହିଷ୍କୃତ ହୋଇଥିଲେ । ଏଭଳି ଘଟଣାକ୍ରମରେ ପାଣ୍ଡିୟାନଙ୍କ ଇସ୍ତଫାକୁ ନେଇ ରାଜନୈତିକ ସସପେନ୍ସ ଆରମ୍ଭ ହୋଇଛି । ପରବର୍ତ୍ତୀ ରାଜନୈତିକ ଦୃଶ୍ୟ କଣ ରହିବ, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ଉପମୁଖ୍ୟମନ୍ତ୍ରୀ ହେବେ କି ପାଣ୍ଡିୟାନ
ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିୟାନଙ୍କୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇପାରେ । ଏଥିପାଇଁ ପୁରା କ୍ଷେତ୍ର ପ୍ରସ୍ତୁତ ହୋଇଛି । ସେଥିପାଇଁ ଦଳର ବରିଷ୍ଠ ନେତା ନିକଟରେ ଏକ ସଭାରେ ପାଣ୍ଡିୟାନଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧିତ କରିଥିଲେ । ଏହା ଦେବୀ ମିଶ୍ରଙ୍କ ଟଙ୍ଗ ସ୍ଲିପ୍ ବୋଲି କେହି କେହି କହୁଥିଲେ ହେଁ ଏହା ପୂର୍ବପ୍ରସ୍ତୁତି ସଂଳାପ ଏବଂ ଦେବୀ ମିଶ୍ର ଏହା ଜାଣିଶୁଣି କହିଛନ୍ତି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଦ୍ଧକ୍ୟ କାରଣରୁ ଆଉ କୌଣସି କାର୍ଯ୍ୟ କରିପାରୁନାହାଁନ୍ତି ଏବଂ ଗତ କିଛି ବର୍ଷ ଧରି ପାଣ୍ଡିୟାନଙ୍କ ନିୟନ୍ତ୍ରଣରେ ସରକାର ଚାଲିଥିବା ନେଇ ବିରୋଧୀ ଆକ୍ଷେପ କରିଆସୁଛନ୍ତି । ଅଘୋଷିତ ଭାବେ ପାଣ୍ଡିୟାନ ସରକାର ଚଲାଉଥିବା ଏବଂ ବିଜେଡିର ସବୁ ବିଧାୟକ ଓ ସାଂସଦ ତାଙ୍କ ନିୟନ୍ତ୍ରଣରେ ଥିବାରୁ ସେ ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପଦରେ ଅଭିଷିକ୍ତ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବେ । ପାଣ୍ଡିୟାନଙ୍କୁ ଛ ମାସ ଭିତରେ ଏକ ବିଧାନସଭା ଆସନରୁ ନିର୍ବାଚିତ ହେବାକୁ ପଡିବ । ସେଥିପାଇଁ ଜଣେ ବିଧାୟକ ଇସ୍ତଫା ଦେବେ । ଯଦି ଏହା ହୁଏ, ତେବେ ନବୀନଙ୍କ ଘୋଷଣାକୁ କେହି ବିରୋଧ କରିବେ ନାହିଁ ଏବଂ 2024 ନିର୍ବାଚନରେ ଦଳକୁ ଜିତାଇ ସେ ସହଜରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ।

ବିଜେଡିର ଏକ ନମ୍ବର ନେତା ପାଣ୍ଡିୟାନ, ଦୁଇ ନମ୍ବରରେ ନବୀନ
ଯଦିଓ ନବୀନ ପଟ୍ଟନାୟକ ବିଜେଡିର ସୁପ୍ରିମୋ ବୋଲି ସମସ୍ତେ ଜାଣନ୍ତି, ମାତ୍ର ବିଜେଡି ନେତାଙ୍କ ଉପରେ ସୁପ୍ରିମୋଙ୍କ ଆଉ କର୍ତ୍ତୃତ୍ବ ନାହିଁ । ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ସବୁ ନେତା ପାଣ୍ଡିୟାନଙ୍କ ବିନା ଅନୁମତିରେ ନବୀନଙ୍କ ଦର୍ଶନ ପାଆନ୍ତିନି । ତେଣୁ ଦଳର ସବୁ ନେତାଙ୍କ ପାଇଁ ପାଣ୍ଡିୟାନ ହେଉଛନ୍ତି ସୁପ୍ରିମୋଙ୍କ ସୁପ୍ରିମୋ । ତେବେ ଏସବୁ ଅଘୋଷିତ ଏବଂ ଅନୌପଚାରିକ ଥିଲା । ଏବେ ଚାକିରୀରୁ ଭିଆରଏସ ନେବା ପରେ ପାଣ୍ଡିୟାନ୍ ଜଣେ ଶହେ ପ୍ରତିଶତ ରାଜନୈତିକ ବ୍ୟକ୍ତି ଭାବେ ଉଭା ହେବେ । ଦଳର ସମ୍ବିଧାନ ଅନୁସାରେ ରାଜନୈତିକ ବ୍ୟାପାର କମିଟି ସବୁଠୁ କ୍ଷମତାଶାଳୀ, ଯାହାର ଅଧ୍ୟକ୍ଷ ଭାବେ ନବୀନ ଅଛନ୍ତି । ଏବେ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ଆନୁଷ୍ଠାନିକ ଭାବେ ପାଣ୍ଡିୟାନ ଦଳର ସାମ୍ବିଧାନିକ କ୍ଷମତାଶାଳୀ କମିଟି ହାତକୁ ନେବେ । ଏହା ହେଲେ ସେ ଆସନ୍ତା ନିର୍ବାଚନ ପାଇଁ ନିଜ ଇଚ୍ଛାରେ ଟିକଟ ବଣ୍ଟା ଦାୟିତ୍ବ ଅନାୟାସରେ କରିପାରିବେ । ତାଙ୍କ ନେତୃତ୍ବକୁ ଦଳ ଭିତରେ କେହି ଯେପରି ଚ୍ୟାଲେଞ୍ଜ ନ କରିପାରିବେ, ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ଭିଆରଏସ ପରେ ଦଳୀୟ ବୈଠକ, ସଭାସମିତି କରିବାକୁ ପାଣ୍ଡିୟାନଙ୍କୁ ବିଜେଡିର ଏକ ସାମ୍ବିଧାନିକ ପଦବୀ ଦରକାର । ଖୁବଶୀଘ୍ର ନବୀନଙ୍କ ମୁହଁରେ ଏହା ଘୋଷଣା କରାଯିବ ।

ବ୍ୟୁରୋକ୍ରାଟଙ୍କ ଉପରେ ପୂର୍ବଭଳି ଲଗାମ ରହିବ
ପାଣ୍ଡିୟାନ ଭିଆରଏସ ନେବା ପରେ ବ୍ୟୁରୋକ୍ରାଟଙ୍କ ଉପରେ ପାଣ୍ଡିୟାନଙ୍କ ଆଉ ଲଗାମ ରହିବ ନାହିଁ ବୋଲି କୁହାଯାଉଛି । ମାତ୍ର ଏହା କରିବାକୁ ଦେବେ ନାହିଁ ପାଣ୍ଡିୟାନ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାଙ୍କ ନିୟନ୍ତ୍ରଣରେ ରହିବ । ଆବଶ୍ୟକ ହେଲେ ତାଙ୍କ ଆଇଏସ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିବେ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ 5ଟି ସଚିବ ପଦରେ ସେ ତାଙ୍କର ଅନୁଗତ ଆଇଏଏସଙ୍କୁ ବସାଇବେ, ଏଥିରେ କୌଣସି ସନ୍ଦେହ ନାହିଁ ।