ଭୋଟର ଜାଲିଆତିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅନୁସନ୍ଧାନରୁ ବାହାରିଛି ବିସ୍ଫୋରକ ତଥ୍ୟ । ମାତ୍ର ଦଶ ବର୍ଗଫୁଟ ଘର ଠିକଣାରେ ଅଶୀଜଣ ଭୋଟରଙ୍କ ନାଁ ପଂଜିକୃତ ହେବା ତଥ୍ୟ ଦେଶରେ ଚାଲିଥିବା ଭୋଟର ଜାଲିଆତିକୁ ସ୍ପଷ୍ଟ କରିଛି । ବିଜେପି ଓ ନିର୍ବାଚନ କମିଶନ ମିଳିମିଶି ଭୋଟର ଜାଲିଆତି କରୁଥିବା ରାହୁଲ ଗାନ୍ଧୀ ଆରୋପ ଲଗାଇବା ପରେ କମିଶନଙ୍କ ପକ୍ଷରୁ କେନ୍ଦ୍ରୀୟ ବେଙ୍ଗାଲୁର ଲୋକସଭା ଆସନର ନିର୍ବାଚନ ସଂପର୍କିତ ଦସ୍ତାବିଜ୍ ନକଲ ରାହୁଲଙ୍କୁ ଦିଆଯାଇଥିଲା । ଗତ ଛ ମାସ ଧରି ରାହୁଲ ଗାନ୍ଧୀଙ୍କ ଟିମ୍ ଏହି ଦସ୍ତାବିଜକୁ ଛାନଭିନ୍ କରିବା ପରେ ମହାଦେବାପୁରାର ଭୋଟର ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ତଥ୍ୟ ବାହାର କରିଛନ୍ତି । ରାହୁଲଙ୍କ ଏହି ତଥ୍ୟ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ସବୁଠୁ ଗୁରୁତ୍ବପୂରଣ୍ଣ କଥା ହେଉଛି, ବେଙ୍ଗାଲୁର ମହାଦେବାପୁରାର ମୁନି ରେଡ୍ଡି ଘର ଠିକଣାରେ ଅଶୀଜଣ ଭୋଟରଙ୍କ ନାଁ ପଂଜିକୃତ ହେବା । ସେହି ଘରର ମାଲିକ ଜୟରାମ ରେଡ୍ଡୀ ନିଜକୁ ବିଜେପି ଦଳର ନେତା କହି ବୁଲୁଥିବା ବେଳେ ଏବେ ଭୋଟର ଜାଲିଆତି ଘଟଣା ପଦାକୁ ଆସିବା ପରେ ସେ ବିଜେପି ସମର୍ଥକ ବୋଲି କହୁଛନ୍ତି ।














