ଚାଷୀ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଦମ ଦେଖାଇଛି ବିଜେଡି । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ଚାଷୀଙ୍କ ହକ ପାଇଁ ବିକ୍ଷୋଭରେ ସାମିଲ ହୋଇଛନ୍ତି ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିଛି ବିଜେଡ଼ି । ବିଜେଡ଼ି ସମାବେଶର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚାଷୀଙ୍କ ହକ୍ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ଧାନର ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ ଏହାକୁ ପୂରଣ ନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ଧୋକ୍କା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ସମୟରେ ତାର ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନ ଜିତି ସାରିବା ପରେ ପ୍ରତିଶ୍ରୁତିକୁ ଭୁଲିଯିବା ଉଚିତ କି ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ସେହିପରି ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ କେନ୍ଦ୍ର ସରକାରଙ୍କର। ତେଣୁ କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ନିର୍ବାହ ନ କରି ଖସି ଯାଇ ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାର ଆର୍ଥିକ ସ୍ୱାଧୀନତା ଥିଲେ ଆମକୁ ଦିଲ୍ଲୀ ଆସିବାକୁ ପଡିନଥାନ୍ତା । ତେଣୁ କେନ୍ଦ୍ର ସରକାର ଆମ ଦାବୀ ପୁରଣ କରନ୍ତୁ ନଚେତ ଆମକୁ ଅର୍ଥନୈତିକ ସ୍ୱାଧୀନତା ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here