ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭେଟି । ଦିଲ୍ଲୀବାସୀ ଏବେ ମାଗଣାରେ ବିଜୁଳି ଜାଳି ପାରିବେ । କାରଣ ସରକାର ୨୦୦ ୟୁନିଟ୍ ଯାଏଁ ବିଜୁଳି ଶୁଳ୍ପ ଛାଡ଼ କରିଛନ୍ତି । ଯେଉଁ ଉପଭୋକ୍ତା ମାସିକ ୨୦୦ ୟୁନିଟ୍‌ରୁ କମ୍ ବିଜୁଳି ବ୍ୟବହାର କରିବେ ତାଙ୍କୁ ଆଉ ବିଲ୍‌ ଦେବାକୁ ପଡ଼ିବ ନାହିଁ । ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଘୋଷଣା କରିଛନ୍ତି । ତେବେ ଏହି ଘୋଷଣାରେ ସବସିଡି ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ୧୮ ଶହ କୋଟିର ଅତିରିକ୍ତ ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଉପଭୋକ୍ତାମାନେ ୨୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ମୂଳ ୟୁନିଟ୍‌ ସହ ସମ୍ପୂର୍ଣ୍ଣ ବିଜୁଳି ଶୁଳ୍କ ଦେବେ । ଦିଲ୍ଲୀରେ ବିଜୁଳି କଂପାନୀର କ୍ଷତି ସଂପର୍କରେ ସୂଚନା ଦେବାକୁ ଯାଇ କେଜରିୱାଲ କହିଛନ୍ତି ଯେ ଆଗରୁ ବିଜୁଳି କମ୍ପାନୀର କ୍ଷତି ୧୭ ପ୍ରତିଶତ ରହିଥିଲା । ଏହା ଏବେ କମି ୮ ପ୍ରତିଶତକୁ ଆସିଛି । ସାରା ଦେଶରେ ବିଜୁଳି ଦର ବଢୁଥିବା ବେଳେ ଦିଲ୍ଲୀରେ ବିଜୁଳି ଦର କମ୍ ହୋଇଛି । ଏବେ ଉପଭୋକ୍ତାଙ୍କୁ ଛାଡ ବି ମିଳିଛି । ଏହି ନିଷ୍ପତ୍ତି ଆଜିଠାରୁ ହିଁ ଲାଗୁ ହୋଇଯାଇଛି । ୨୦୧୩ ପୂର୍ବରୁ ଦିଲ୍ଲୀରେ ବିଜୁଳି ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ବିଜୁଳି ପାଇଁ ୯ ଶହ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ସମାନ ବିଜୁଳି ବ୍ୟବହାର କଲେ କୌଣସି ବିଲ୍ ଦେବାକୁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here