ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ ଓଡିଶାର ଜନସାଧାରଣଙ୍କୁ ମିଥ୍ୟା ତଥ୍ୟ ଦେବା ଏବଂ ନିଜ ସରକାରଙ୍କର ଦୋଷ ଦୁର୍ବଳତା ଲୁଚାଇବାରେ ପାରଙ୍ଗମ ବୋଲି ବିଜେପିର ଲୋକସଭା ପାର୍ଥୀ ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି । ବିଜୁଜନତା ଦଳ ପକ୍ଷରୁ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନରେ ଦର୍ଶାଯାଇଛି ଯେ ବାରିପଦା ଠାରେ ହୋଇଥିବା ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଜଣେ କେନ୍ଦ୍ର ମନ୍ତ୍ରୀ ବିରୋଧ କରୁଥିଲେ ଏବଂ ସେଠାରେ ହେବାକୁ ଥିବା ମେଡିକାଲ କଲେଜକୁ କେନ୍ଦ୍ର ସରକାର ଅନୁମତି ଦେଇ ନଥିଲେ । ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ଏହା ସମ୍ଭବ ହୋଇଥିଲା । ବିଜେଡିର ଏହି ବିଜ୍ଞାପନରେ କୌଣସି ସତ୍ୟତା ନାହିଁ ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଏକ ଅଟୋନୋମସ ବଡି, ଯାହା ଉପରେ କେନ୍ଦ୍ର ସରକାରଙ୍କର କୈାଣସି ହସ୍ତକ୍ଷେପ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି କଟକ ଲୋକସଭା ନିର୍ବାଚନମଣ୍ଡଳୀର ଆଠଗଡ ଅଞ୍ଚଳରେ କେତେକ ବୁଥରେ ରିଗିଂ ହୋଇଥିବା ନେଇ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।