ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡଭଉଣୀ ତଥା ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ପରଲୋକ । 80 ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ପାରାଲିସିସ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ସ୍ବାମୀ ଆମେରିକାର ବିଶିଷ୍ଟ ପ୍ରକାଶକ ସନ୍ନି ମେହଟ୍ଟାଙ୍କର 2019ରେ ପରଲୋକ ହୋଇଥିଲା ।

1943ରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ନୂଆଦିଲ୍ଲୀ ଏବଂ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରିବା ପରେ ଆମେରିକାର ବିଶିଷ୍ଟ ପ୍ରକାଶକ ସୋନୀ ମେହଟ୍ଟାଙ୍କୁ ବିବାହ କରିଥିଲେ । ଗୀତା ଜଣେ ଭଲ ଲେଖିକା ଓ ଡକୁମେଣ୍ଟାରୀ ସିନେମା ନିର୍ମାତା ଭାବେ ପ୍ରତିଷ୍ଠା ଲାଭ କରିଥିଲେ । ସ୍ନେକ ଆଣ୍ଟ ଲାଡର, ଏ ରିଭର ସୂତ୍ର, ଦି ଏଟରନାଲ ଗଣେଶ , କର୍ମକୋଲ ଆଦି ପୁସ୍ତକ ରଚନା କରିଥିଲେ । ତାଙ୍କ ରଚିତ ପୁସ୍ତକଗୁଡିକ ୟୁରୋପୀୟ ଦେଶରେ ବେଶ୍ ଆଦୃତି ଲାଭ କରିଥିଲା ।

ଗୀତା ମେହଟ୍ଟାଙ୍କ ପୁଅ ଆଦିତ୍ୟ ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତାକାଲି ନୂଆଦିଲ୍ଲୀ ଯାଇ ବଡଭଉଣୀଙ୍କ ଅନ୍ତିମଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here