(ଅପୂର୍ବ କୁମାର ମହାନ୍ତି)
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚବିଶ ବର୍ଷ ଭିତରେ କେବେ ବି କୌଣସି ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇନାହାନ୍ତି । ବିରୋଧୀ ଦଳ ନେତାଙ୍କ ଘର ତ ଦୂରର କଥା, ତାଙ୍କ ଚାମ୍ବରକୁ ବି କେବେ ପଶି ନାହାନ୍ତି । 2000 ମସିହାରୁ 2024 ଭିତରେ ସାତଜଣ ବିରୋଧୀ ଦଳ ନେତା ପଦରେ କାର୍ଯ୍ୟ କରିଛନ୍ତି । କଂଗ୍ରେସର ରମାକାନ୍ତ ମିଶ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ଉଲାକା ରାମଚନ୍ଦ୍ର, ଭୂପିନ୍ଦର ସିଂହ ଓ ନରସିଂହ ମିଶ୍ର କାର୍ଯ୍ୟ କରିଥିବା ବେଳେ ବିଜେପିର ପ୍ରଦୀପ୍ତ କୁମାର ନାଏକ, ଜୟନାରାୟଣ ମିଶ୍ର କାର୍ଯ୍ୟ କରିଛନ୍ତି । କେବେ କୌଣସି ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିବା ତ ଦୂରର କଥା, ନିଜ ଚାମ୍ବରକୁ ଡାକି ବି କେବେ କଥା ହୋଇନାହାଁନ୍ତି । ଗତ ଚବିଶ ବର୍ଷ ଭିତରେ ରାଜ୍ୟରେ ମହାନଦୀ, ପୋଲାଭରମଠୁ ଆରମ୍ଭ କରି ନଗଡା, ଚାଷୀ ଆତ୍ମହତ୍ୟା ଭଳି ଅନେକ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ବିଧାନସଭା ଉଠିଛି, ପଡିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ନବୀନ କେତେବେଳେ ବି କୌଣସି ପ୍ରସଙ୍ଗ ଉପରେ ବିରୋଧୀ ଦଳ ନେତାଙ୍କୁ ବିଶ୍ବାସକୁ ନେଇ କାର୍ଯ୍ୟ କରିନାହାଁନ୍ତି । ବରଂ ଅନେକ ସମୟରେ ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ ଉପଯୁକ୍ତ ସମ୍ମାନ ମିଳେନାହିଁ ବୋଲି ବିରୋଧୀ ଆପତ୍ତି କରିଛନ୍ତି । ବିରୋଧୀ ଦଳ ନେତା ନିଜ ଆସନରେ ଠିଆ ହେଲେ କହିବାକୁ ବି ସୁଯୋଗ ମିଳେନି । ଗୃହ ଚଳେଇବା ପାଇଁ ବିରୋଧୀ ଦଳ ନେତାଙ୍କ ସହ ବିଚାରବିମର୍ଷ ବି କରନ୍ତିନି । କେତେବେଳେ ବିଧାନସଭା ଅଧିବେସନ ଅଚାନକ ବନ୍ଦ ହୋଇଯାଏ, ବିରୋଧୀ ଦଳ ନେତା ସୁରାଗ୍ ବି ପାଆନ୍ତିନି । ଅନେକ ଥର ରାଜ୍ୟପାଳଙ୍କ ପାଖକୁ ଯାଇ ବିରୋଧୀ ଦଳ ଗୁହାରୀ କରନ୍ତି ।

ମାତ୍ର ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବା ପରେ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସ ଯାଇ ବାରମ୍ବାର ଭେଟିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ବିରୋଧୀ ଦଳ ନେତାଙ୍କୁ ସମ୍ମାନ ଦେଖାଇବାରେ ଅସୁବିଧା କିଛି ନାହିଁ, କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାଠୁ ଆରମ୍ଭ କରି ବିଧାନସଭା ଅଧିବେସନ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ଭେଟିବା ଅନେକ ପାଇଁ ହଜମ ହେଉନି । ପ୍ରଶ୍ନ ଉଠୁଛି, ଚବିଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନଙ୍କ ଆଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନମ୍ରତା ଦେଖାଇବା ଆଳରେ ଅଧିକ ନରମ ହୋଇଯାଉଛନ୍ତି କି ?

LEAVE A REPLY

Please enter your comment!
Please enter your name here