ନବୀନ ନିବାସରେ ବିଜେପୁର ବିଧାୟିକା ରୀତା ସାହୁ | ବିଜେପୁରରେ ଐତିହାସିକ ବିଜୟ ହାସଲ କରିବା ପରେ ନିଜ ସମର୍ଥକଙ୍କ ସହ ମିଶି ନବୀନ ନିବାସରେ ପହନ୍ଚିଛନ୍ତି ରୀତା | ନବୀନ ନିବାସରେ ପହଂଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରୀତା ସାହୁ ଏବଂ ବିଜେପୁରର ଦଳୀୟ କର୍ମୀ | ଜିତିବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତାକୁ ଦେବା ସହ ନିଜ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ଆଗାମୀ ଦିନର ସେ ବିଜେପୁରର ସର୍ବାଙ୍ଗୀନ ବିକାଶ ଉପରେ ନଜର ରଖିବେ | ଏଥସହ ବିଜେପୁରରେ ହେବାକୁ ଥିବା ଜଳ ଯୋଗାଣ ପ୍ରକଳ୍ପ ତାଙ୍କ ଫୋକସରେ ରହିବ ବୋଲି କହିଛନ୍ତି ରୀତା |
ଗତ ୨ ବର୍ଷ ମଧ୍ୟରେ ବିଜେପୁର ବାସୀ ତିନି ତିନି ଥର ନିର୍ବାଚନର ସମ୍ମୁଖୀନ ହୋଇଥିବା ବେଳେ, ପୁଣି ଥରେ ବିଜେଡି ବିପୁଳ ମତଦାନରେ ବଡ ବିଜୟ ହାସଲ କରିଛି | ଗତକାଲି ବିଜେପୁର ଉପନିର୍ବାଚନର ଫଳାଫଳ ବାହାରିଛି | ବିଜେଡି ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍ ପାଇ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ଭୋଟ୍ ବ୍ୟବଧାନରେ ବିଜୟ ହୋଇଛନ୍ତି ରୀତା । ସବୁଠାରୁ ବଡ଼ କଥା ହେଲା କି, ବିଜେଡିର ହ୍ୟାଟ୍ରିକ୍ ବିଜେପୁର ବିଜୟ ହୋଇଥିବାବେଳେ , ଦ୍ୱିତୀୟ ଥର ପାଇଁ ରୀତା ବିଜେପୁର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ମୋଟ୍ ୨୧ ରାଉଣ୍ଡ ଭୋଟ୍ ଗଣତି ପରେ ବିରୋଧୀଙ୍କୁ ମାଟି କାମୁଡାଇ ବିଜୟ ଆଡକୁ ବାଟ କାଢ଼ିଥିଲା ବିଜେଡି । ଆଉ ପ୍ରଥମ ରାଉଣ୍ଡରୁ ଆରମ୍ଭ କରି ଶେଷ ରାଉଣ୍ଡ ଭୋଟ୍ ଗଣତି ପର୍ୟ୍ୟନ୍ତ ରୀତାଙ୍କ ଉପରେ ଅଜାଡି ହୋଇପଡ଼ିଲା ବିଜେପୁରବାସୀଙ୍କ ଆଶୀର୍ବାଦ । ତେଣୁ ମୋଟ୍ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ୍ ପାଇଛନ୍ତି ରୀତା | ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭ ହଜାର ୯୫୫ ଖଣ୍ଡ ଭୋଟ୍ ଆଉ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମାତ୍ର ୫ ହାଜର ୮୭୧ ଖଣ୍ଡ ଭୋଟ୍ ମିଳିଥିଲା | ସେହିପରି ନୋଟାକୁ ୧ ହଜାର ୯୮୨ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ଖାତାକୁ ୧ ହଜାର ୫୩ ଖଣ୍ଡ ଭୋଟ୍ |