୧୭ ତାରିଖରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଡିସଚାର୍ଜ ହୋଇ ନିବାସକୁ ଫେରିଥିଲେ । ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଦେଖିବାକୁ ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚିଛନ୍ତି । ସେ ୪–୫ ଦିନ ନବୀନଙ୍କ ସହିତ ରହିବେ ବୋଲି ସୂଚନା ମିଳିଛି । ସେପଟେ ନବୀନଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନବୀନ ଅସୁସ୍ଥୁ ହୋଇ ହସପିଟାଲରେ ଭର୍ତ୍ତି ହେବା ଏବଂ ବିଜେଡି ନେତାମାନଙ୍କୁ ପାଣ୍ଡିୟାନ ନବୀନଙ୍କ ସାଙ୍ଗେ ଦେଖା କରାଇ ନଦେବା କାରଣରୁ ଦଳ ଭିତରେ ଉତ୍ତରାଧିକାରୀ ପ୍ରସଙ୍ଗ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପାଣ୍ଡିୟାନ କଣ ନବୀନଙ୍କ ଉତ୍ତରାଧିକାରୀ ବୋଲି ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ବିଜେଡି କିଛି ନେତା ଏବେ ପାଣ୍ଡିୟାନଙ୍କ ସପକ୍ଷରେ ଓକିଲାତି କରିବା ଆରମ୍ଭ କରିଦେଇଛନ୍ତି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ପାଣ୍ଡିଆନ ନୁହନ୍ତି ବିଜେଡିର ସର୍ବେସର୍ବା । ପାଣ୍ଡିଆନ ଉପରେ ନବୀନ ବାବୁଙ୍କ ଭରସା ଅଛି । ପାଣ୍ଡିଆନ ନବୀନ ବାବୁଙ୍କ ଅତି ଘନିଷ୍ଠ ସହଯୋଗୀ । ସେ କେବେ ନିଜେ କୌଣସି ନିଷ୍ପତ୍ତି ନେଇପାରିବେନି । ପାଣ୍ଡିଆନ ଶ୍ରଦ୍ଧାର ସହ ଭକ୍ତିର ସହ ନବୀନ ବାବୁଙ୍କ ସେବା କଲେ । କେବେ ନବୀନ ବାବୁ କହିଛନ୍ତି ପାଣ୍ଡିଆନ ମୋ ଉତ୍ତରାଧିକାରୀ ନା ପାଣ୍ଡିଆନ କେବେ ଦାବି କରିଛନ୍ତି ବୋଲି କହିଛନ୍ତି ବିଧାୟକ । ତେବେ ନିଆଁ ନଥାଇ ଧୂଆଁ ବାହାରିବା କଥା ବି କହିଛନ୍ତି ଗଣେଶ୍ବର ।














