ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭାରତବର୍ଷରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଥାନ୍ତେ । ରାଜ୍ୟ ରାଜନୀତିରେ ଲୋକପ୍ରିୟତାର ଶୀର୍ଷରେ ଥିବା ରାଜନେତା ନବୀନ ପଟ୍ଟନାୟକଙ୍କ ଶାସନର ଏମିତି ଅନ୍ତ ଘଟିବ, କେହି କେବେ କଳ୍ପନା କରି ନ ଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାର ନେବା ପରଠାରୁ ତାଙ୍କ ଶାସନ କଳକୁ କେତେବେଳେ ପ୍ୟାରୀମେହନ ମହାପାତ୍ର, କେତେବେଳେ କଳ୍ପତରୁ ଦାସ ମ୍ୟାନେଜ୍ କରି ଆସୁଥିଲେ । କିନ୍ତୁ ଗତ ଦଶନ୍ଧି ଧରି ଶାସନକଳକୁ ମ୍ୟାନେଜ କରୁଥିଲେ ପ୍ରବୀଣ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ । ପାଣ୍ଡିୟାନଙ୍କ ଉପରେ ନବୀନଙ୍କର ଥିଲା ଅଖଣ୍ଡ ବିଶ୍ବାସ । ରାଜନୀତିଠୁ ସରକାର ଚଳାଇବା ପର୍ଯ୍ୟନ୍ତ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ପାଣ୍ଡିୟାନ ଏବଂ ମୋହର ମାରୁଥିଲେ ମୁଖ୍ୟମନ୍ତ୍ରୀ । କିଏ କେଉଁଠୁ ପ୍ରାର୍ଥୀ ହେବ, କିଏ ମନ୍ତ୍ରୀ ହେବ, କିଏ କେଉଁ ବିଭାଗର ସଚିବ ହେବ, କିଏ କେଉଁଠି ଏସପି ହେବ, ସବୁ ପରିଚାଳନା ପାଇଁ ପାଣ୍ଡିୟାନ ଥାର୍ଡ ଫ୍ଲୋରରେ ତିଆରି କରିଥିଲେ କୋଟେରୀ । ଆଇଏଏସ, ଆଇପିଏସ ଏବଂ କିଛି ଓଏଏସ ଅଫିସରଙ୍କୁ ନେଇ ସେ ଥାର୍ଡ ଫ୍ଲୋରଠୁ ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ ସବୁ ନିୟନ୍ତ୍ରଣରେ ରଖିଥିଲେ । 5 T ବିଭାଗ ତିଆରି କରି ସବୁ ବିଭାଗ, ଏପରିକି ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଥିଲେ ପାଣ୍ଡିୟାନ । ମାତ୍ର ପାଣ୍ଡିୟାନ ଯେତେବେଳେ ପ୍ରଚ୍ଛଦପଟ୍ଟରୁ ବାହାରି ରାଜନୀତିରେ ଯୋଗଦେଲେ ଏବଂ ଚଳିତ ନିର୍ବାଚନରେ ଦଳର ସବୁ ପୁରୁଖାନେତାଙ୍କୁ ଅଣଦେଖା କରି ଏକା ଏକା ହିରୋ ହେବାକୁ ଚେଷ୍ଟା କଲେ, ସେଇଠୁ ଆରମ୍ଭ ହେଲା ବିଜେଡିର ଦୁର୍ଗ ପତନର ବେଳ । ଦଳର ବିଧାୟକ, ସାଂସଦ ସମସ୍ତେ ତଳେ ବସିଲେ, ଏକା ପାଣ୍ଡିୟାନ ମଞ୍ଚ ଉପରେ ସମାବେଶକୁ ଉଦବୋଧନ ଦେଲେ । ଲାଗୁଥିଲା ଚବିଶ ବର୍ଷ ଭିତରେ ବିଜେଡିରେ ଯେମିତି ଆଉ କେହି ନେତା ନାହାଁନ୍ତି । ଏକମାତ୍ର ନବୀନ ଓ ପାଣ୍ଡିୟାନ । ଯାହାର ଶେଷ ପରିଣାମ ଦେଖିବାକୁ ମିଳିଲା । ପ୍ରଥମ ଥର ପାଇଁ କଣ୍ଟାବାଞ୍ଝିରେ ନବୀନଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କେବଳ ନିଜର ପରାଜୟ ନୁହେଁ, ପାଣ୍ଡିୟାନଙ୍କ ବିରୋଧରେ ତୀବ୍ର ଜନ ଅସନ୍ତୋଷ ହିଁ ବିଜେପି ପାଇଁ ଉତଥାନର କାରଣ ପାଲଟିଗଲା । ନିର୍ବାଚନରେ ବିଜେଡିକୁ ଭୂଇଁ ଚାଟିବାକୁ ପଡିଲା । ଯଦି ଦଳର ସବୁ ନେତାଙ୍କୁ ବିଶ୍ବାସକୁ ନେଇ ନବୀନ ନିର୍ବାଚନକୁ ଓହ୍ଲାଇଥାନ୍ତେ, ତେବେ ହୁଏତ ନବୀନଙ୍କୁ ଏ ଦଶା ଭୋଗିବାକୁ ପଡି ନ ଥାନ୍ତା ।

LEAVE A REPLY

Please enter your comment!
Please enter your name here