ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଲୋଚନା ଦାସ । ଭୁବନେଶ୍ବର ଏକାମ୍ର, ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳିର ତିନି ବିଧାୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନାଙ୍କ ଗହଣରେ ଏବଂ ଶତାଧିକ ସମର୍ଥକଙ୍କ ଶୋଭାଯାତ୍ରାରେ ଯାଇ ସେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ସୁଲୋଚନା ଟ୍ବିଟ୍ କରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ସହ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ମେୟର ପଦ ପାଇଁ ନାମାଙ୍କନ ଦାଖଲ କରିଛି । ଭୁବନେଶ୍ବର ମହାନଗର ବାସିନ୍ଦାଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଛନ୍ତି । ମେୟର ଭାବେ ନିର୍ବାଚିତ ହେଲେ ଭୁବନେଶ୍ବରକୁ ଦେଶର ଏକନମ୍ବର ସହରରେ ପରିଣତ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଟିଭି ଚ୍ୟାନେଲର ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିଥିବା ସୁଲୋଚନା 2012ରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ କଂଗ୍ରେସର ମୁଖପାତ୍ର ଓ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । 2017ରେ ସଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଏବଂ 2019 ନିର୍ବାଚନ ପରେ ରାଜ୍ୟ ଭିନ୍ନକ୍ଷମ କମିଶନ ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି ।

ଭୁବନେଶ୍ବର ମେୟର ପାଇଁ ବିଜେଡି ପ୍ରାର୍ଥୀ ଭାବେ ସୁଲୋଚନା ଦାସ, ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ , ଏବଂ କଂଗ୍ରେସ ପ୍ରାର୍ଥୀଭାବେ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡୁ ମଧ୍ୟ ଜଣେ ସାମ୍ବାଦିକା ଓ ଲେଖିକା ଭାବେ ଲବ୍ଧ ପ୍ରତିଷ୍ଠିତ । ସେହିପରି ମଧୁସ୍ମିତା ଦିବଂଙ୍ଗତ କଂଗ୍ରେସ ନେତା କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୁ ଏବଂ ସମାଜସେବୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here