ଆଜି ନୂଆଁଖାଇ । ନୂଆଁଖାଇ ଜୁହାରରେ ଦୁଲୁକୁଛି ସାରା ପଶ୍ଚିମ ଓଡିଶା । ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଇଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ 9 ଟା 12ରୁ 9ଟା 27 ମଧ୍ୟରେ ନବାନ୍ନ ଲାଗି ହୋଇଛି । ସେହିପରି ବଲାଙ୍ଗୀରର ମା ପାଟଣେଶ୍ବରୀ ଏବଂ ବିଭିନ୍ନ ଦେବାଦେବୀ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି ହୋଇଛି । ଦେବୀ ପୀଠରେ ନବାନ୍ନ ଲାଗି ହେବା ପରେ ସମସ୍ତେ ଅତି ଆନନ୍ଦ ଉଲ୍ଲାସରେ ନବାନ୍ନ ଖାଇଥାନ୍ତି । ପ୍ରଥମ ଶସ୍ୟ ଅମଳ କରି ପ୍ରଥମେ ମା ଙ୍କ ନିକଟରେ ଭୋଗ ହେବା ପରେ ନିଜ ପରିବାରର ଭାଇ ବନ୍ଧୁ କୁଟୁମ୍ବଙ୍କ ସହ ମିଶି ନବାନ୍ନ ଖାଇବାର ପରଂପରା ପଶ୍ଚିମ ଓଡିଶାବାସୀଙ୍କ ପାଇଁ ସ୍ବତନ୍ତ୍ର । ନୂତନ ବସ୍ତ୍ର ପରିଧାନ କରି ଏକାଠି ନବାନ୍ନ ଖାଇବା ଏବଂ ସାନ ମାନେ ବଡମାନଙ୍କୁ ଜୁହାର କରିବା ଏହି ପର୍ବର ବିଶେଷତ୍ବ । ଏଥିପାଇଁ ବାହାରେ ରହୁଥିବା ଓଡିଆମାନେ ଘରକୁ ଫେରି ଆସିଥାନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ମିଶି ଖୁସି ମନେଇଥାନ୍ତି । ଯଦିଓ ଏହି ପରଂପରା ପଶ୍ଚିମ ଓଡିଶାବାସୀଙ୍କର ସ୍ବତନ୍ତ୍ର, ତେବେ ଆଜିର ଦିନରେ ନୂଆଁଖାଇ ପର୍ବ ସାରା ଓଡିଶାରେ ପାଳନ ହେଉଛି । ନୂଆଁଖାଇ ପର୍ବକୁ ଉତ୍ସବ ମୁଖର କରିବା ପାଇଁ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ୍ ବି ଆୟୋଜିତ ହେଉଛି । ସେଥିପାଇଁ ରାଜ୍ୟ ସରକାର ଆସନ୍ତାକାଲି (ନ’ ତାରିଖ)କୁ ଛୁଟି ଘୋଷଣା କରିଛନ୍ତି ।