କୋଟିଆର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପରେ ଚେତିଛି ପ୍ରଶାସନ । ସୀମାନ୍ତବର୍ତ୍ତି ଗାଁ ଗୁଡିକରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଚେତନ କରାଇବା କାମରେ ଏବେ ଲାଗି ପଡିଛି କୋରାପୁଟ ଜିଲ୍ଲା ପ୍ରଶାସନ । ସୀମାନ୍ତବର୍ତ୍ତୀ ଗାଁଗୁଡିକର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେବା ପରେ ମହମ୍ମଦ ଅବଦଲ୍ ଅଖତର କୋଟିଆ ପଞ୍ଚାୟତରେ ସରକାରୀ ଯୋଜନାର କିଭଳି ସଫଳ ରୂପାୟନ ହେବ, ସେଥିପାଇଁ ପଦକ୍ଷେପ ନେବା ସହ କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଓଡିଶା ଠାରୁ ଏହାକୁ ଛଡାଇ ନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଉଦ୍ୟମ ବିଫଳ ହେବ ବୋଲି କହିଛନ୍ତି । କୋଟିଆ ପଞ୍ଚାୟତରେ ବିକାଶର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହା ଭିତରେ ସୀମାନ୍ତବର୍ତ୍ତୀ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରିଛନ୍ତି । ବିଶେଷ କରି ଦୁର୍ଗମ ତଥା ଅପହଞ୍ଚ ଇଲାକାଗୁଡିକୁ ଯାତାୟତ ସୁବିଧା ସହ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କୋଟିଆ ଗ୍ରାମ ପଞ୍ଚାୟତକୁ ମଡେଲ ପଞ୍ଚାୟତ କରିବା ପାଇଁ ଘୋଷଣା କରିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ ଗ୍ରାମ୍ୟ ଅର୍ଥନୀତି କିପରି ସୁଦୃଢ ହେବ, ତାହା ଉପରେ ଗୁରୁତ୍ବ ଦେଉଛି ।

LEAVE A REPLY

Please enter your comment!
Please enter your name here