ଆଜିଠୁ ଦେଶରେ ଲାଗୁ ହେଲା ନୂଆ GST ସ୍ଲାବ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ GST ସଂସ୍କାର ନେଇ ଘୋଷଣା କରିଥିଲେ । ଆଉ ଏବେ ସାରା ଦେଶରେ କେବଳ ଦୁଇଟି GST ସ୍ଲାବ୍ ୫% ଏବଂ ୧୮% ଲାଗୁ ହେବ । ଏହା ସହିତ, ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% GST ଲାଗୁ ହେବ । ନୂତନ GST ସଂସ୍କାର ଦେଶର ଅଟୋମୋବାଇଲ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।
ନୂଆ ଜିଏସଟି ଲାଗୁ ହେବା ପରେ ଦେଶରେ ବିକ୍ରି ହେଉଥିବା ଯାନବାହାନର ମୂଲ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା, ହୁଣ୍ଡାଇ, ହିରୋ ମୋଟୋକର୍ପ, ହୋଣ୍ଡା ଏବଂ ରୟାଲ ଏନଫିଲ୍ଡ ସମେତ ସମସ୍ତ ଅଟୋମେକରମାନେ ସେମାନଙ୍କ ଯାନବାହାନର ନୂତନ ମୂଲ୍ୟ ଘୋଷଣା କରିଛନ୍ତି । ନୂଆ ଜିଏସଟି ଆସିବା ପରେ ବର୍ତ୍ତମାନ କାରର ମାତ୍ର ୩ ଲକ୍ଷ ୫୦ ହଜାରରୁ ଆରମ୍ଭ ହୋଇଥିବା ବେଳେ ବାଇକର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୫ ହଜାର ରହିଛି ।
ଗତକାଲି ନୂତନ GST ଗଠନ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂସ୍କାରକୁ ଐତିହାସିକ ବୋଲି କହିଥିଲେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ସମ୍ବୋଧନରେ ସେ କହିଛନ୍ତି, “ଏହି GST ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ, ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକ ଅଧିକ ସହଜରେ କିଣିପାରିବେ। ଏହି GST ସଂସ୍କାରର ଲାଭ ସିଧାସଳଖ ସାଧାରଣ ଲୋକଙ୍କୁ ମିଳିବ, ଏବଂ ବଜାର ସମୃଦ୍ଧ ହେବ।”














