ନେପାଳ ସଂସଦ ଭବନରୁ ଉଠୁଛି ଧୂଆଁ । ହିଂସା ଥମିଥିଲେ ବି ଏଯାଏ ଜେନ-ଜି ଆନ୍ଦୋଳନକାରୀଙ୍କ ମନରୁ ଲିଭିନି ଅଶାନ୍ତିର ନିଆଁ । ସାରା ଦେଶରେ କର୍ଫ୍ୟୁ ଜାରି ହେବା ସହ ଶାନ୍ତି ବଜାୟ ରଖିବାକୁ ସେନା ପକ୍ଷରୁ କରାଯାଇଛି ଅପିଲ୍ । ଖୁବଶୀଘ୍ର ଛାତ୍ର ନେତାଙ୍କ ସହ ଆଲୋଚନା ପରେ ସେନାମୁଖ୍ୟ ଅଶୋକ ରାଜ ସିଗଡେଲ ବଡ଼ ଘୋଷଣା କରିବା ସମ୍ଭାବନା ରହିଛି । ମଙ୍ଗଳବାର ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା ପରେ ସେମାନଙ୍କ ଦାବି ପୂରଣ ହେବା ନେଇ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି ସେନାମୁଖ୍ୟ । ୨ ଦିନ ଧରି ରାଜଧାନୀ କାଠମାଣ୍ଡୁ ସହ ସାରା ଦେଶରେ ନିଆଁ ଜଳିବା ପରେ ପଦ ଛାଡ଼ି ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେପି ଓଲୀ । ହିଂସା ମଧ୍ୟରେ, ୧୮ଟି ଜିଲ୍ଲାର ଜେଲରୁ ପ୍ରାୟ ୧୩ ହଜାର କଏଦୀ ଖସି ପଳାଇଛନ୍ତି। କାସ୍କିରୁ ୭୭୩, ନବଲପରାସୀ ଜେଲରୁ ୫୦୦, ଚିତୱାନରୁ ୭୦୦, କୈଲାଲିରୁ ୬୧୨, ଜଳେଶ୍ୱରରୁ ୫୭୬ ଜଣ କଏଦୀ ଫେରାର ହେବା ନେପାଳ ସେନା ପାଇଁ ଚିନ୍ତାର କାରଣ ହୋଇଛି । ହିଂସା ମଧ୍ୟରେ ନେପାଳରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋଦି ସରକାର । ୨୦୨୧ରେ ଆଫଗାନିସ୍ତାନ, ୨୦୨୨ରେ ଶ୍ରୀଲଙ୍କା, ୨୦୨୪ରେ ବାଂଲାଦେଶ ,ଏବେ ୨୦୨୫ରେ ନେପାଳ ଓ ଫ୍ରାନ୍ସରେ ରାଜନୈତିକ ସଂକଟ ଦେଖା ଦେଇଛି। ୫ ବର୍ଷ ମଧ୍ୟରେ ୩ଟି ପଡ଼ୋଶୀ ଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଏବେ ନେପାଳ ଓ ଫ୍ରାନ୍ସରେ ବି ସ୍ଥିତି ସଙ୍ଗୀନ ହୋଇଛି । ନେପାଳ ପରେ ଫ୍ରାନ୍ସରେ ବୁଧବାର ସରକାର ବିରୋଧୀ ହିଂସକ ପ୍ରଦର୍ଶନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜଧାନୀ ପ୍ୟାରିସ୍ ସମେତ ବିଭିନ୍ନ ସହରରେ ହିଂସା ବ୍ୟାପୁଥିବାରୁ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ଉପରେ ଚାପ ବଢୁଛି । ଗିରଫ ହୋଇଛନ୍ତି ୨୦୦ରୁ ଅଧିକ ବିକ୍ଷୋଭକାରୀ । ପ୍ରତିବାଦକାରୀ ଦେଶରେ ବିଦ୍ରୋହୀ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।














