ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଯାଇଛି । ସଦ୍ୟତମ ଖବର ଅନୁଯାୟୀ, ଯବାନମାନେ ଅପରେସନ ମହାଦେବ ଜରିଆରେ ପହଲଗାମ ନରସଂହାରରେ ସାମିଲ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଘେରି ଏନକାଉଣ୍ଟରରେ ୩ ଜଣଙ୍କୁ ନିପାତ କରିଛନ୍ତି । ତେବେ ଏହାକୁ ନେଇ ସେନା ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଖବର ଅନୁଯାୟୀ, ସୁରକ୍ଷାବଳକୁ ଶ୍ରୀନଗରର ଲିଡବାସରେ ୩ ଆତଙ୍କବାଦୀ ଛପି ରହିଥିବାର ସୂଚନା ମିଳିଥିଲା । ଏହା ପରେ ଅପରେସନ ମହାଦେବ ନାମରେ ସେନା, ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସେନା ଘେରି ଯାଉଥିବା ଦେଖି ଆତଙ୍କବାଦୀମାନେ ପ୍ରଥମେ ଗଳିମାଡ ଆରମ୍ଭ କରିଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏହି ସମୟରେ ସେନାଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି ।













