ପାକିସ୍ତାନର ବାୟୁସେନା ନିଜ ହିଁ ଦେଶର ଲୋକଙ୍କ ଉପରେ ଆକ୍ରମଣ କରୁଛି । ସୋମବାର ଖୈବର ପଖତୁନଖୱା ପ୍ରାନ୍ତରେ ପାକିସ୍ତାନୀ ବାୟୁସେନାର ଏୟାର ଷ୍ଟ୍ରାଇକ ହମଲାରେ ମହିଳା ଓ ଶିଶୁ ସମେତ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ବିଳମ୍ବିତ ରାତି ୨ଟାରେ ଘଟିଛି । ପାକିସ୍ତାନର ଲଢୁଆ ବିମାନ ତିରାହ ଘାଟି ସ୍ଥିତ ମତ୍ରେ ଦାରା ଗାଁ ଉପରେ ବୋମା ବର୍ଷଣ କରିଛନ୍ତି । ଏଥିରେ ଗାଁ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଲଏସ-୬ ବର୍ଗର ବିନାଶକାରୀ ବୋମାକୁ ଚୀନ ଜେଏଫ-୧୭ ଲଢୁଆ ବିମାନରରୁ ଫିଙ୍ଗା ଯାଇଛି । ସମସ୍ତ ମୃତକ ପାକିସ୍ତାନର ନାଗରିକ ବୋଲି ଜଣା ପଡିଛି । ଏହି ହମଲାକୁ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ବୋମାମାଡରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖୈବର ପଖତୁନଖୱାରେ ପୂର୍ବରୁ ଅନେକ ଥର ଆତଙ୍କବାଦ ନିରୋଧୀ ଅଭିଯାନ ଚଲାଯାଇଛି ଏବଂ ଏଥିରେ ଅନେକ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଯେବେ ଗାଁରେ ଲୋକେ ନିଦରେ ଶୋଇଥିଲେ, ସେହି ସମୟରେ ଜୋରଦାର ବିସ୍ଫୋରଣ ହୋଇଥିଲା । ବୋମା ବର୍ଷଣରେ, ଗାଁର ଏକ ବଡ ଅଂଶ ଧ୍ୱଂସ ହୋଇ ଯାଇଛି ।














