ନବୀନଙ୍କ ନୂଆ ଟିମରୁ ବାଦ ପଡିଲେ ଦଶଜଣ ମନ୍ତ୍ରୀ । ତେବେ କେଉଁ କାରଣ ପାଇଁ ନବୀନ ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଲେ, ତାହା ଚର୍ଚ୍ଚାର ବିଷୟ । ତିନିବର୍ଷ ତଳେ ନବୀନ ଏହି ମନ୍ତ୍ରୀମାନଙ୍କ ନିଷ୍ଠା ଓ ଦକ୍ଷତା ଉପରେ ଏତେ ବିଶ୍ବାସ ରଖିଥିଲେ ଯେ, ସେମାନଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଥିଲେ । ଯେମିତିକି ଅରୁଣ ସାହୁଙ୍କୁ ମିଳିଥିଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ । ଦିବ୍ୟଶଙ୍କର ମିଶ୍ରଙ୍କ ହାତରେ ଥିଲା ଗୃହ ଓ ଶକ୍ତି ବିଭାଗ । ପ୍ରତାପ ଜେନାଙ୍କ ହାତରେ ଥିଲା ପଞ୍ଚାୟତିରାଜ ଓ ଆଇନ ବିଭାଗ । ସୁଦାମ ମାରାଣ୍ଡି ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ । ଜଳସଂପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରଘୁନନ୍ଦନ ଦାସଙ୍କୁ ଦିଆଯାଇଥିଲା । କିନ୍ତୁ ତିନିବର୍ଷ ପରେ ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଇଛନ୍ତି ନବୀନ । ଆମକୁ ମିଳିଥିବା ସୂଚନା ଅନୁଯାୟୀ ବାଦ ପଡିବା ପଛରେ ରହିଛି ତିନୋଟି କାରଣ ।
ପ୍ରଥମ କାରଣ ହେଉଛି, ବିଦାୟୀ ମନ୍ତ୍ରୀମାନଙ୍କ ମଧ୍ୟରୁ କିଛି ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସମୟରେ ସଙ୍ଗୀନ ଅଭିଯୋଗ ରହିଥିଲା । ଅରୁଣ ସାହୁଙ୍କ ବିରୋଧରେ ପରୀ ପ୍ରସଙ୍ଗ ହେଉ ଅବା ଦିବ୍ୟଶଙ୍କରଙ୍କ ବିରୋଧରେ ମମିତା ମେହେର ପ୍ରସଙ୍ଗ । ବିଜେପି ନେତାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା ପ୍ରତାପ ଜେନାଙ୍କ ବିରୋଧରେ । ଏମିତି ସାଙ୍ଘାତିକ ଆରୋପରେ ଛନ୍ଦି ହୋଇପଡିଥିଲେ ବିଦାୟୀ ମନ୍ତ୍ରୀମାନେ । ଏମାନଙ୍କୁ ନେଇ ବିରୋଧୀ ବି ଖୁବ୍ ତୁମ୍ବିତୋଫାନ କରିଥିଲେ । ସରକାରଙ୍କୁ ସର୍ବସାଧାରଣରେ ନିନ୍ଦିତ ହେବାକୁ ପଡିଥିଲା । ଯଦିଓ ବିରୋଧୀଙ୍କ ଚାପ ଆଗରେ ସରକାର ସେତେବେଳେ ମୁଣ୍ଡ ନୁଆଁଇ ନ ଥିଲେ, କିନ୍ତୁ ମନ୍ତ୍ରୀମଣ୍ଡଳରୁ ବିଦା କରିବା ତାଲିକାରେ ସେମାନଙ୍କ ନାଁ ରଖିଥିଲେ ।
ଦ୍ବିତୀୟ କାରଣ ହେଉଛି, କିଛି ମନ୍ତ୍ରୀଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନ ଥିଲା । ଅନେକ ସମୟରେ ସେମାନଙ୍କ କାର‌୍ୟ୍ୟ ସରକାରଙ୍କୁ ଅସୁବିଧାରେ ପକାଉଥିଲା ।
ତୃତୀୟ କାରଣ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ସରକାର ପରିଚାଳନା କରୁଥିବା ନବୀନଙ୍କ କୋଟେରୀରେ ଥିବା ବ୍ୟୁରୋକ୍ରାଟ ଓ ରାଜନେତାଙ୍କ ପ୍ରତି ଆନୁଗତ୍ୟତା । ବିଭାଗ ପରିଚାଳନାରେ ଯେତେ ଦକ୍ଷ ହୋଇଥିଲେ ମଧ୍ୟ ଯଦି ନବୀନଙ୍କ ଏହି କୋଟେରୀ ପ୍ରତି ଆନୁଗତ୍ୟତା ନ ଥିବ, ତେବେ ମନ୍ତ୍ରୀମଣ୍ଡଳରୁ ବିଦା ହେବା ନିଶ୍ଚିତ । ବିଦାୟୀ ମନ୍ତ୍ରୀଙ୍କ ମଧ୍ୟରୁ କିଛି ମନ୍ତ୍ରୀଙ୍କ ଉପରେ ନବୀନଙ୍କ କୋଟେରୀ ଖୁସି ନ ଥିବା ଜଣାପଡିଛି ।
ତେବେ ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ବିଦାୟୀ ମନ୍ତ୍ରୀମାନଙ୍କ ଅସନ୍ତୋଷ ଏଡାଇବା ପାଇଁ ଦଳ ସାଙ୍ଗଠନିକ କ୍ଷେତ୍ରରେ ସେମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ପଦପଦବୀ ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here