ସାଳନ୍ଦୀ ନଦୀରେ ନିର୍ମାଣାଧୀନ ସେତୁକୁ ସଂଯୋଗ କରିବା ପାଇଁ ଚାଲିଛି ରାସ୍ତାକାମ । ଆପଣ ଭାବୁଥିବେ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସରକାର ଏମିତି ଯୁଦ୍ଧକାଳିନ ଭିତ୍ତିରେ କାମ କରୁଛନ୍ତି । ମାତ୍ର ତାହା ନୁହେଁ । ଏ କାମ ସରକାର ନୁହେଁ, ଗାଁ ଲୋକଙ୍କ ଦୁଃଖ ସହିପାରିଲେନି ବୋଲି ଗାଁର ଗଙ୍ଗାଧର ବାବୁ ନିର୍ମାଣ କରିଛନ୍ତି ସେତୁ । କେନ୍ଦୁଝର ଜିଲ୍ଲାର କାନପୁର, ସୋସୋ, ନିଉଦାନୀ, ଦନେଇପୁର ଗାଁ ଦେଇ ବହିଯାଇଛି ସାଳନ୍ଦୀ ନଦୀ । ନଦୀର ଏପାଖରେ ଜୀବନ, ଆରପଟେ ଜୀବିକା । ଜୀବିକା ପାଇଁ ଲୋକଙ୍କୁ ପାଣିରେ ପହଁରି କିମ୍ବା ବାଉଁଶ ଭେଳାରେ ଯାଇ ନଦୀ ଆରପଟେ ଚାଷବାସ କରିବାକୁ ପଡିଥାଏ । ଅନେକ ସମୟରେ ଲୋକମାନେ ଦୁର୍ଘଟଣାରେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । ନଦୀରେ ପୋଲଟିଏ କରିବା ପାଇଁ ଗାଁ ଲୋକ ନେତା, ପ୍ରଶାସନ ନିକଟରେ ଯେତେ ନେହୁରା ହେଲେ ବି କେହି ଶୁଣିଲେନି । ଶେଷରେ ଗାଁର ଅବସରପ୍ରାପ୍ତ ପ୍ରାଣୀ ନିରୀକ୍ଷକ ଗଙ୍ଗାଧର ରାଉତ କାର୍ କିଣିବାକୁ ସଞ୍ଚିତ କରି ରଖିଥିବା ପେନସନ ଟଙ୍କାରେ ସାଳନ୍ଦୀ ନଦୀରେ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଲେ । ମାର୍ଚ୍ଚ ୨୦୧୮ରେ ଆରମ୍ଭ ହେଲା ପୋଲ ନିର୍ମାଣ କାମ । ୨୧୦ଫୁଟ ଲମ୍ବ ୧୦ଫୁଟ ଓସାରର ପୋଲ ନିର୍ମାଣ ପାଇଁ ଖର୍ଚ୍ଚ ହେଲା ୧୮ଲକ୍ଷ ୧୦ହଜାର ଟଙ୍କା । ଗଙ୍ଗାଧର ପୋଲର ନାମ ଦେଲେ ପିଉସା ପୁତୁରା ପୋଲ । ଗତବର୍ଷ ମେ ମାସରେ ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ଗଙ୍ଗାଧର । କିନ୍ତୁ ସେତୁ ପର‌୍ୟ୍ୟନ୍ତ ସଂଯୋଗୀକରଣ ରାସ୍ତା ନ ଥିବାରୁ ଲୋକେ ଏହାକୁ ବ୍ୟବହାର କରିପାରି ନଥିଲେ । ସୋସୋ, କାନପୁର, ଦନେଇପୁର ଆଦି ଗାଁର ଲୋକେ ଏ ନେଇ ସ୍ଥାନୀୟ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆଣିଥିଲେ । ମାତ୍ର ଫଳ କିଛି ମିଳିଲାନି । ବର୍ଷାଧିକ କାଳ ପୋଲଟି ଅବ୍ୟବହୃତ ହୋଇ ପଡିରହିବା ଗଙ୍ଗାଧର ବାବୁଙ୍କୁ ବ୍ୟଥିତ କଲା । ପୋଲ ନିର୍ମାଣ କରି ଯଦି ଲୋକମାନେ ଯିବା ଆସିବା କରିନପାରିବେ ତେବେ ପୋଲ ନିର୍ମାଣ କରି ଲାଭ କଣ । ଗଙ୍ଗାଧର ବାବୁ ପୁନର୍ବାର ନିଜ ଉଦ୍ୟମ ଓ ପରିବାର ଲୋକଙ୍କ ସହଯୋଗରେ ୮ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚକରି ୧୫୦ ମିଟର ଲମ୍ବ ଓ ୧୪ଫୁଟ ଓସାରର ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରିଛନ୍ତି । ଏପରିକି ପୁରସ୍କାର ଭାବେ ପାଇଥିବା ଏକଲକ୍ଷ ଟଙ୍କାକୁ ମଧ୍ୟ ସେ ଏହି ରାସ୍ତା ନିର୍ମାଣରେ ଲଗାଇଛନ୍ତି । ଲୋକଙ୍କ ପାଇଁ ଏଭଳି ନିଃସ୍ବାର୍ଥପର କାର‌୍ୟ୍ୟ କରିଥିବା ଗଙ୍ଗାଧର କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ସମଗ୍ର ଦେଶବାସୀଙ୍କ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।
ଆନନ୍ଦପୁରରୁ ବିକାଶ ବିଶ୍ଵାଳଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here