ରାଜ୍ୟରେ ବିଜେପି ସରକାର ଆସିଲେ 48 ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ । ନିର୍ବାଚନ ପ୍ରଚାର ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତାମାନେ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଲୋକସେବା ଭବନରେ ଆୟୋଜିତ ପ୍ରଥମ କ୍ୟାବିନେଟ ବୈଠକରେ ଚାରୋଟି ବଡ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକେ ନିଆଯାଇଥିବା ପ୍ରଥମ ନିଷ୍ପତ୍ତି ହେଉଛି, ଆସନ୍ତାକାଲି ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ । ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସକାଳ ମଙ୍ଗଳ ଆଳତୀ ପରେ ଚାରିଦ୍ବାର ଖୋଲାଯିବ । ଆଝି ରାତିରେ ମହାପ୍ରଭୁଙ୍କ ଦର୍ଶନ କରି ମୋହନ ମାଝୀଙ୍କ ମନ୍ତ୍ରୀମଣ୍ଡଳ ଆଜି ପୁରୀରେ ଅବସ୍ଥାନ କରିବେ । ଦ୍ବିତୀୟ ବଡ ନିଷ୍ପତ୍ତି ହେଉଛି, ଶ୍ରୀମନ୍ଦିର ପରିଚାଳନା ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯିବ । ରାଜ୍ୟ ବଜେଟରେ ଏହି ବ୍ୟୟ ବରାଦ କରାଯିବ । ସେହିପରି ତୃତୀୟ ନିଷ୍ପତ୍ତି ଅନୁଯାୟୀ ଶହେଦିନ ଭିତରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା 3100 ଟଙ୍କା ଲେଖାଁଏ ଚାଷୀଙ୍କୁ ପ୍ରଦାନ କରାଯିବ । ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କାର ନଗଦ ଭାଉଚର ପ୍ରଦାନ କରାଯିବ । ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ଏହିସବୁ ପ୍ରତିଶ୍ରୁତି ଶହେଦିନ ଭିତରେ ପୁରା କରିବାକୁ ପଦକ୍ଷେପ ନେବା ପାଇଁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିବ ନାହିଁ ଏବଂ ରାଜ୍ୟର ବିକାଶ ପାଇଁ ଆମେ ଦିନରାତି ଏକ କରିଦେବୁ ବୋଲି କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here