ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନା ପ୍ରେସିଡେଣ୍ଟ ଅଫ୍ ଭାରତ ? ଭାରତର ରାଷ୍ଟ୍ରପତିଙ୍କ ନାଁରେ ସମସ୍ତ ଚିଠିପତ୍ର, ଯୋଗାଯୋଗ “ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ” ବୋଲି ସମ୍ବୋଧନ କରାଯାଉଥିଲା । ମାତ୍ର ଜି-20 ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣପତ୍ରରେ ପ୍ରଥମ ଥର ପାଇଁ “ପ୍ରେସିଡେଣ୍ଟ ଅଫ ଭାରତ” ଲେଖାଯିବା ସମସ୍ତଙ୍କୁ ଚକିତ କରିଛି । ମିଳିତ ବିରୋଧୀ ଦଳର ମେଣ୍ଟ ନାଁ “ଇଣ୍ଡିଆ” ରଖାଯାଇଥିବାରୁ ବିଜେପି ସରକାର ଏଭଳି ଚିଠି ଲେଖିଥିବା ବିରୋଧୀ କହିଛନ୍ତି । ନିକଟରେ ମିଳିତ ବିରୋଧୀ ଦଳ ସେମାନଙ୍କର ଟାଗ୍ ଲାଇନ ‘ଯୁଡେଗା ଭାରତ, ଜିତେଗା ଇଣ୍ଡିଆ’ ଘୋଷଣା କରିଥିଲେ । ତେବେ ବିରୋଧୀ ଦଳଙ୍କ ମେଣ୍ଟର ନାଁ କୁ ଡରି ଦେଶର ରାଷ୍ଟ୍ରପତିଙ୍କ ପ୍ରତି ହେଉଥିବା ସମ୍ବୋଧନକୁ ବଳାଇଦେବା କି ପ୍ରକାର ମାନସିକତା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଯଦି ବିରୋଧୀ ମେଣ୍ଟର ନାଁ ଭାରତ ରଖିଥାନ୍ତେ, ତେବେ କେନ୍ଦ୍ର ସରକାର କଣ ଦେଶର ନାଁ ବଦଳାଇ ଭାରତ ବଦଳରେ ବିଜେପି ରଖିଥାନ୍ତେ । 140- କୋଟି ଲୋକଙ୍କର ଦେଶ । ବିଜେପି ସରକାର ସରକାରୀ କାଗଜପତ୍ରରେ ଦେଶର ନାଁ ବଦଳାଇବା ହାସ୍ୟାସ୍ପଦ ବୋଲି କେଜ୍ରିଓ୍ଲାଲ କହିଛନ୍ତି । ଜି-20 ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 9 ତାରିଖରେ ରାଷ୍ଟ୍ରମୁଖ୍ୟମାନଙ୍କୁ ନୈଶଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ନିମନ୍ତ୍ରଣ ପତ୍ର ହେଡିଂରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଉଲ୍ଲେଖ ରହିଛି । ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାର ସମ୍ବିଧାନର ମୁଖବନ୍ଧରେ ଥିବା “ଇଣ୍ଡିଆ” ଶବ୍ଦକୁ ହଟାଇ “ଭାରତ” ରଖିବାକୁ ଯୋଜନା କରୁଛନ୍ତି । ଖୁବଶୀଘ୍ର ସଂସଦରେ ଏ ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ଆଗତ କରାଯିବ ।

LEAVE A REPLY

Please enter your comment!
Please enter your name here