2024 ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ନିର୍ବାଚନ ଷ୍ଟ୍ରାଟେଜୀ ପାଇଁ କୋର୍ ଟିମ୍ କାମ ଆରମ୍ଭ କରିଦେଇଛି । ସୋମବାର ବୈଠକରେ ଫାଇଭ୍ ଟି କୁ ଭୁରି ଭୁରି ପ୍ରଶଂସା କରାଯିବା ପରେ ସୁପ୍ରିମୋ 24 ନିର୍ବାଚନରେ ଫାଇଭ୍ ଟି ଢାଞ୍ଚା ବା କନସେପ୍ଟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ପାଞ୍ଚବର୍ଷ ଭିତରେ ଫାଇଭ୍ ଟି ଓଡିଶାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏବଂ ବିରୋଧୀଙ୍କ ମନରେ ଭୟ ସୃଷ୍ଟି କରିବାରେ ସମର୍ଥ ହୋଇଛି । ଆସନ୍ତା ନିର୍ବାଚନରେ 5T ହିଁ ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍ ଟି ସଚିବ 30 ଜିଲ୍ଲା ଗସ୍ତ କରି ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି, ସେହି ତଥ୍ୟ ଆଧାରରେ ରଣନୀତି ପ୍ରସ୍ତୁତ ହେବ । କେବଳ ଲୋକଙ୍କ ସମସ୍ୟା ସମ୍ବଳିତ ତଥ୍ୟ ନୁହେଁ, ଦଳ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳିରେ ବିଧାୟକଙ୍କ ସ୍କୋର୍ କାର୍ଡ ପ୍ରସ୍ତୁତ କରିଛି । ବିଧାୟକଙ୍କ ଲୋକପ୍ରିୟତା, ତାଙ୍କ ବିରୋଧରେ ଥିବା ଅପରାଧିକ ଅଭିଯୋଗ ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ପରଖାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏବେ ଦଳରେ ଥିବା 114 ବିଧାୟକଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ଦଳ ବଦଳାଇବାକୁ ବିଚାର କରୁଛି । ସେଥିପାଇଁ ନୂଆ ପ୍ରାର୍ଥୀଙ୍କୁ ସେଟ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର ଜଣେ ଆଇଆରସି ଅଧିକାରୀ ହୋଇଥିଲେ ହେଁ ଚାକିରୀ ଛାଡି ସେ ରାଜନୀତିକୁ ଆସିବାକୁ ସ୍ଥିର କରିଛନ୍ତି । ବିଜେଡି ଯଦି ତାଙ୍କୁ ଟକଟ ଦିଏ, ତେବେ ମାହାଙ୍ଗା ନେତା ପ୍ରତାପ ଜେନାଙ୍କ ଟିକଟ କଟିବ । ଫାଇଭ ଟି ପ୍ରତି ଆନୁଗତ୍ୟତା ଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ରାଜନୀତିକୁ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଦଳର ବହୁ ବିଧାୟକଙ୍କ ଟିକଟ କଟିବ ଏବଂ ଏଥିପାଇଁ ତାଲିକା ପ୍ରସ୍ତୁତ ଚାଲିଛି । ଯେଉଁ ବିଧାୟକଙ୍କ ପାଇଁ ସରକାର ଅଡୁଆରେ ପଡିଥିଲେ, ଏଥର ସେମାନଙ୍କୁ ଆଉ ଟିକଟ ମିଳିବ ନାହିଁ । କୁହାଯାଉଛି ଫାଇଭ୍ ଟି ସ୍ବଚ୍ଛତା ଏଥର ବିଜେଡି ନିର୍ବାଚନରେ ଦେଖିବାକୁ ମିଳିବ । ଏଭଳି ସ୍ଥିତିରେ ଟିକଟ ବଞ୍ଚେଇ ରଖିବା ପାଇଁ ଦଳୀୟ ନେତା, ବିଧାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି ଏବଂ ଯାହାର ଉଦାହରଣ ଗତ ସୋମବାର ଦିନ ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here