ଆରମ୍ଭ ହୋଇଯାଇଛି ଫନି କାଉଣ୍ଟଡାଉନ । ୩ ତାରିଖ ସକାଳେ ସାମୁଦ୍ରିକ ବାତ୍ୟା ଫନି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ଆଇଏମଡି ରିପୋର୍ଟ ଅନୁଯାୟୀ, ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ଯାଏଁ ଚାଲିବ ବୋଲି ପୂର୍ବାନୁମାନ କରାଯାଇଛି । ସ୍ଥଳଭାଗ ଛୁଇଁବା ମାତ୍ରେ ତାଣ୍ଡବ ରଚିବ ଫନି । ପବନର ବେଗ ଘଣ୍ଟା ପ୍ରତି ୧୭୦ ରୁ ୨୦୦ କିମି ମଧ୍ୟରେ ରହିବ । ୨ ତାରିଖ ରାତିରୁ ବର୍ଷାର ପ୍ରକୋପ ବଢିବ । ଫନି ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ତଳି ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବାତ୍ୟା ଆଶ୍ରୟ ସ୍ଥଳରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦେବାକୁ ବ୍ୟବସ୍ଥା କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାକୁ ଫନି ଅଧିକ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପୁରୀରେ ସମୁଦ୍ରକୁଳରୁ ନୋଳିଆମାନଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ୧୦୩ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାରେ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲା ଠାରୁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟନ୍ତ ସବୁଠି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଫନି ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡକୁ ଗତି କରିବାର ସମ୍ଭାବନା ଥିବାରୁ ଫେରିବା ରାସ୍ତାରେ ବିପର୍ଯ୍ୟୟ ସୃଷ୍ଟି କରିବ ।

LEAVE A REPLY

Please enter your comment!
Please enter your name here