ପାକିସ୍ତାନରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାବି, ଚେନାବ ଏବଂ ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଲକ୍ଷ-ଲକ୍ଷ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି। ଏହି ସଙ୍କଟର ମଧ୍ୟରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବୟାନ ଚର୍ଚ୍ଚା ରେ ଆସିଛି । ସେ ବନ୍ୟାକୁ ‘ଆଲ୍ଲାଙ୍କ ଆଶୀର୍ବାଦ’ ବୋଲି କହିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲରେ ଖ୍ୱାଜା ଆସିଫଙ୍କୁ ବନ୍ୟା ସହାୟତା ବିଷୟରେ ପଚାରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ ଲୋକମାନେ ଏହାକୁ ଅଲ୍ଲାହ ଙ୍କ ଆଶୀର୍ବାଦ ବୋଲି ଭାବି ନିଜ ଘରେ ପାଣି ସଂରକ୍ଷଣ କରିବା ଉଚିତ । ସାରା ବିଶ୍ୱରେ ପାଣି ଅଭାବ ଯୋଗୁଁ ହଇରାଣ ହେଉଛି। ଏପରି ପରିସ୍ଥିତିରେ ପାକିସ୍ତାନରେ ବନ୍ୟା ଏକ ଖୁସିର ସଂଯୋଗ । ତେଣୁ ବନ୍ୟାକୁ ବିପର୍ଯ୍ୟୟ ନୁହେଁ, ବରଂ ଆଲ୍ଲାହଙ୍କ ଆଶୀର୍ବାଦ ବୋଲି ବିବେଚନା କରାଯିବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ୟା ରୋକିବା ପାଇଁ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ଲୋକମାନେ ଏଥିପାଇଁ ଅଯଥାରେ ସରକାରଙ୍କୁ ଦୋଷ ଦେଉଛନ୍ତି । ସେ ଦାବି କରିଛନ୍ତି ଯେ ସ୍ଥାନୀୟ ସରକାର ବନ୍ୟା ପାଇଁ ଦାୟୀ, ଯାହା ଶକ୍ତିହୀନ । ଲୋକମାନେ ଜବରଦଖଲ କରୁଛନ୍ତି ଏବଂ ପାଣିର ପଥ ପରିବର୍ତ୍ତନ କରୁଛନ୍ତି, ଯାହା ଯୋଗୁଁ ବନ୍ୟା ନିଶ୍ଚିତ।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ରିପୋର୍ଟ ଅନୁସାରେ, ୨୬ ଜୁନ୍ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପାକିସ୍ତାନ ବନ୍ୟାରେ ୮୫୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପଞ୍ଜାବ ସୂଚନା ମନ୍ତ୍ରୀ ଆଜମା ବୁଖାରୀ କହିଛନ୍ତି, ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୭.୬ ଲକ୍ଷ ଲୋକ ଏବଂ ୫ ଲକ୍ଷ ପଶୁଙ୍କୁ ଉଦ୍ଧାର କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ପଞ୍ଜାବରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ୧୦ ଲକ୍ଷରୁ ଅଧିକ ଲୋକ ଙ୍କୁ ସ୍ଥାନାନ୍ତର କରାଯାଇଛନ୍ତି । ବନ୍ୟାରେ ଶତାଧୂକ ଗାଁ ଧ୍ୱଂସ ହୋଇଛି, ଫସଲ ବୁଡ଼ି ଯାଇଛି।














