ଯୁଆଡେ ଚାହିଁବେ ପାଣି ଆଉ ପାଣି । ରାସ୍ତା ଘାଟଠୁ ଆରମ୍ଭ କରି ରେଲୱେ ଟ୍ରାକ୍ । ପାଣି ଘେରରେ କଲବଲ ହେଉଛନ୍ତି ଲୋକେ । ବିଭିନ୍ନ ଅଞ୍ଚଳରେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଲଗାଣ ବର୍ଷା ରାୟଗଡା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। କେଉଁଠି ବନ୍ୟା ପାଣି ନାଳରେ ପ୍ରବେଶ କରି ବ୍ରିଜ୍ ଗୁଡିକ ଧୋଇ ଦେଇଛି ତ ଆଉ କେଉଁଠି ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି। ବିଶେଷ କରି ଲଗାଣ ବର୍ଷାରେ ରେଳ ଚଳାଚଳ ବ୍ୟାହତ ହୋଇଛି। ଜିଲ୍ଲାର ରାଉଲି ଓ ଭାଲୁମାସ୍କ ଅଞ୍ଚଳରେ ମାଟି ଅତଢା ଖସି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଅମ୍ବାଦୋଳା ଷ୍ଟେସନ ନିକଟରେ ରେଳ ଲାଇନ୍ ବର୍ଷା ଜଳରେ ଧୋଇ ହୋଇଯିବା ଫଳରେ ଏକ ମାଲ ବୋଝେଇ ଟ୍ରେନ୍ ଦୁର୍ଘଟଣା ଗସ୍ତ ହୋଇଛି। ଫଳରେ ଟ୍ରେନ୍ ର ସାତୋଟି ବଗି ଟ୍ରାକ୍ ରୁ ଅଲଗା ହୋଇଯାଇଛି। ରାୟଗଡ଼ା ରୁ ସମ୍ବଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ସମ୍ବଲପୁର ଡିଭିଜନର ଡିଆରଏମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରେଳ ବିଭାଗର ବୈଷୟିକ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସବୁ ଛୋଟ ବଡ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୧୦ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରେ ସର୍ବାଧିକ୨୪ ଘଣ୍ଟା ରେ ୨୦୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହି ବ୍ଲକ ର ୮ ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୨୦ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।ତେବେ ପାଣିପାଗ ବିଭାଗ ଆଉ ୨୪ ଘଣ୍ଟା ବର୍ଷା ହେବା ନେଇ ଆଶଙ୍କା କରିଥିବା ବେଳେ ଭୟଭୀତ ଲୋକେ ।














