ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବେଜି ଶେଷ ହେବା ପରେ ତିନି ରଥକୁ ଆସି ଗଜପତି ମହାରାଜ ଛେରା ପହଁରା କରିଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଭିତରେ ତିନି ରଥ ଗୁଣ୍ଡିଚା ମନ୍ଦିରରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିବା ଆରମ୍ଭ କରିଥିଲା । ହରିବୋଲ, ହୁଳହୁଳି ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା । ଆଗେ ଆଗେ ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଭକ୍ତମାନେ ଟାଣି ନେଇଥିଲେ । ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣି ନେଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ଭିତରେ ବଡଦାଣ୍ଡରେ ତିନିରଥ ଗଡିବାର ଅନୁପମ ଦୃଶ୍ୟ ଭକ୍ତକୁ ବିମୋହିତ କରିଦେଇଥିଲା । ପରଂପରା ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ କାଳିଆ ଠାକୁରଙ୍କ ରଥ ଅଟକି ରହିଥିଲା । ମାଉସୀ ଘର ପୋଡପିଠା ଖାଇ କାଳିଆ ସାଆନ୍ତ ଶ୍ରୀମନ୍ଦିର ଅଭିମୁଖେ ଫେରିଥିଲେ । ଆଜି ପାଗ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁକୂଳ ଥିଲା । ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଆରାମ ଦେବା ପାଇଁ ତଥା ଗୁଳୁଗୁଳିରୁ ରକ୍ଷା ପାଇଁ ବ୍ୟାପକ ଭାବେ ପାଣି ସ୍ପ୍ରେ କରାଯାଉଥିଲା ।