ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ସୋମବାର ଦିନ ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ପୋରେଟରଙ୍କ ସମେତ ପାଞ୍ଚଜଣଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ନେତାମାନେ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ର । ନିଲମ୍ବିତ ନେତାମାନଙ୍କ ମଧ୍ୟରୁ ପୋଲିସ ଗତକାଲି କର୍ପୋରେଟର ରାଉତଙ୍କ ସମେତ ରଶ୍ମୀରଂଜନ ମହାପାତ୍ର ଓ ଦେବାଶୀଷ ପ୍ରଧାନଙ୍କୁ ଗିରଫ କରିଥିଲା ।
ସୋମବାର ଦିନ ବିଏମସି ଅଫିସରେ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି କର୍ପୋରେଟର ଶ୍ରୀ ରାଉତଙ୍କ ସମେତ ଛଅ ସାତଜଣ ଦଳୀୟ ନେତା ଆକ୍ରମଣ କରିଥିଲେ । ଜଗା ଭାଇଙ୍କୁ କାହିଁକି ଏମିତି କହିଲ କହି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଘୋଷାଡି ଘୋଷାଡି ମୁଥ, ଗୋଇଠା ମାରିଥିଲେ । ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ରାସ୍ତାରୋକୋ କରାଯିବା ସହ ଘଟଣା ପଛରେ ଥିବା ଜଗା ଭାଇକୁ ଗିରଫ କରିବାକୁ ଦାବି କରାଯାଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ ସରକାରୀ ଅଧିକାରୀଙ୍କୁ ମାଡ ମରାଯିବା ଘଟଣା ନିନ୍ଦନୀୟ ବୋଲି କହିଥିଲେ ।














