ସାଧାରଣ ନିର୍ବାଚନ ପରେ ବିଜେପିରେ ଅଲୋଡା ହୋଇପଡିଥିବା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ବିଜେପି ଛାଡିଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ଦେଇଥିବା ଇସ୍ତଫା ପତ୍ରରେ ସାଧାରଣ ନିର୍ବାଚନ ପରେ ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ନୀତିଗତ ନିଷ୍ପତ୍ତି ନେବା ବେଳେ ଦଳ ତାଙ୍କର ଉପସ୍ଥିତି ଆବଶ୍ୟକ କରୁନାହିଁ ବୋଲି ଅନୁଭବ କରୁଥିବା ସେ ଲେଖିଛନ୍ତି । ଦଳ ଭିତରେ ଅଲୋଡା ହୋଇ ରହିବା ଅପେକ୍ଷା ସେ ଇସ୍ତଫା ଦେବାକୁ ଉଚିତ ମନେ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ଆଉ ସଂଶ୍ଳିଷ୍ଟ ରହିବେ ନାହିଁ ବୋଲି ଉଲ୍ଲେଖ କରିବା ସହ ଅବଶିଷ୍ଟ ଜୀବନ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟରେ ସମୟ କାଟିବେ ବୋଲି କହିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି, ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବିଜେପି ତାଙ୍କୁ ରାଜ୍ୟ ପ୍ରଚାର କମିଟିର ଆବାହକ ଭାବେ ଦାୟିତ୍ୱ ଦେଇଥିଲା । ଏବେ ଦାମବାବୁଙ୍କ ଇସ୍ତଫା ପରେ ପୁଅ ସମ୍ବିତ ରାଉତରାୟ ବିଜେପିକୁ ଯିବା ବାପାଙ୍କ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ସମ୍ବିତ ଏବେ ବିଜେଡି ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି । ଦାମଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ଦଳ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଇସ୍ତଫା ପତ୍ରରେ ଦାମବାବୁ ମଧ୍ୟ ବିଜେଡିର ନେତୃତ୍ୱ ଓ ବିଜେଡି ବିରୋଧରେ ତାଙ୍କର କୌଣସି ଅଭିଯୋଗ ନଥିଲା ବୋଲି କହି ବିଜୁ ଜନତା ଦଳ ଓ ନବୀନଙ୍କ ପ୍ରତି ଥିବା ଆନୁଗତ୍ୟତାକୁ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here