ଭୁବନେଶ୍ୱର ବିଜେପିକୁ ଅଡୁଆ ଅପରାଜିତା । ଖୋଦ୍ ଭୁବନେଶ୍ୱର ବିଜେପିର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହି ଅଭିଯୋଗ ଆଣିଛନ୍ତି । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ କିଭଳି ଓ କାହିଁକି ଭୁବନେଶ୍ୱର ବିଜେପିରେ ବିବାଦ ବଢିବାରେ ଲାଗିଛି ସେ ନେଇ ଲିଖିତ ଭାବେ ବିଜେପି ସାଧାରଣ ସମ୍ପାଦକଙ୍କୁ ଜଣାଇଛନ୍ତି ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାହୁ । ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଅପରାଜିତା ଦଳକୁ ଅଡୁଆରେ ପକଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଏପରିକି କିଛି ଅପରାଧିକ ତତ୍ତ୍ୱକୁ ସାଙ୍ଗ କରି ନିଜ ନାମରେ ଟିମ୍ ଅପରାଜିତା ସଙ୍ଗଠନ ଗଢିଛନ୍ତି ବୋଲି ଅଭିଯୋଗ ହୋଇଛି । ଆଉ ନିଜ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମାଧ୍ୟମରେ ସେହି ଟିମକୁ ପରିଚାଳନା କରିବାକୁ ଅପରାଜିତା ପ୍ରୟାସ ଚଳାଇଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛି ଭୁବନେଶ୍ୱର ଜିଲ୍ଲା ବିଜେପି । କେବଳ ଏତିକି ନୁହେଁ ସାଙ୍ଗଠନିକ ବ୍ୟବସ୍ଥା ଯଥା, ଜିଲ୍ଲା ମଣ୍ଡଳୀକୁ ପଦାଘାତ କରିବା ପାଇଁ ଷଡଯନ୍ତ୍ର କରିବା, ବିଭିନ୍ନ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୁନ୍ଦକୁ ସ୍ଥାନ ନଦେଇ ନିଜର ଅହଙ୍କାର ପ୍ରଦର୍ଶନ କରୁଛନ୍ତି ଅପରାଜିତା । ଏହାସହ କାର୍ଯ୍ୟକର୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଥିବା ନେଇ ଅପରାଜିତାଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ଏପରିକି ଗତ ଜୁନ୍ ୨୯ ତାରିଖରେ ଉତ୍ତର ପୂର୍ବ ନିର୍ବାଚନ ମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୁନ୍ଦଙ୍କ ସହ ଆଲୋଚନା ନକରି ନିର୍ବାଚନମଣ୍ଡଳୀ ବାହାରେ ଅପରାଜିତା କର୍ମୀ ସମ୍ମିଳନୀ କରିଥିବା ଅଭିଯୋଗ ହୋଇଛି । ତେବେ ଦଳୀୟ ସଙ୍ଗଠନକୁ ଏଭଳି ତୁଚ୍ଛ ମନେ କରିବା ଏବଂ ଅନ୍ତଃ କନ୍ଦଳ ପାଇଁ ପ୍ରୋସôାହିତ କରିବା ବିଜେପିର ନୀତି ଆଦର୍ଶକୁ ଅବମାନିତ କରିଛି । ଭୁବନେଶ୍ୱର ସାଂସଦ ଅବରାଜିତାଙ୍କ ନାଁରେ ଏଭଳି ବିଭିନ୍ନ ଦଳ ବିରୋଧୀ ଅଭିଯୋଗର ଲମ୍ବା ତାଲିକା ପ୍ରସ୍ତୁତ କରି ରାଜ୍ୟ ନେତୃବୁନ୍ଦକୁ ଫେରାଦ ହୋଇଛି ଜିଲ୍ଲା ବିଜେପି । ଅପରାଜିତାଙ୍କ ବିରୋଧରେ ଏଭଳି ଦଳ ବିରୋଧି ଅଭିଯୋଗ ଆସିବା ପରେ ବିଜେପିରେ ଆଲୋଡନ ସୃଷ୍ଟି ହେବା ସହ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି ।