ଏଥର ଓଡିଶା ଦଖଲ । ବିଜେପି ଟାର୍ଗେଟରେ ଓଡିଶା । ଭୁବନେଶ୍ବରଠୁ ବଲାଙ୍ଗୀର ଯାଏଁ ବିଜେପିର ଜୋରଦାର ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂହ, ହେମାମାଳିନୀଙ୍କ ଭଳି ଦଳର ଅନେକ ହେଭିଓ୍ବେଟ ନେତାଙ୍କ ଘନ ଘନ ଓଡିଶା ଗସ୍ତ । କେତେବେଳେ ରୋଡ୍ ସୋ ତ ଆଉ କେତେବେଳେ ସାଧାରଣ ସମାବେଶକୁ ଉଦବୋଧନ । ନବୀନ ଓ ପାଣ୍ଡିୟାନଙ୍କ ଉପରେ ଜୋରଦାର ପ୍ରହାର କରିବାରେ ଲାଗିଛନ୍ତି ଦଳର ତାରକା ପ୍ରଚାରକମାନେ । ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ନବୀନ-ପାଣ୍ଡିୟାନଙ୍କୁ କଟାକ୍ଷ କରିଛନ୍ତି । ଚବିଶ ବର୍ଷ ବିଜେଡିକୁ ଦେଲ, ଏଥର ବିଜେପିକୁ ଦିଅ, ଡବଲ ଇଂଜିନ ସରକାର କଥା କହି ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ ଏବଂ ଜୋରଦାର ପ୍ରଚାରକୁ ନେଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେବା ଆରମ୍ଭ ହେଲାଣି । ଏଥର ଓଡିଶାରେ ବିଜେପି ସରକାର – ପଦ୍ମଦଳିଆ ନେତାଙ୍କ ନାରାବାଜି ଶୁଣି ଶଙ୍ଖ ଦଳରେ ଛାନିଆ ପଶିଲାଣି । ଆଉ ଆଗଭଳିଆ ସେମାନଙ୍କ ପାଖରେ କନଫିଡେନ୍ସ ଥିବା ଭଳି ଲାଗୁନି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଚାର ମଇଦାନରେ ବିଜେଡିର ମଙ୍ଗ ଧରିଥିବା ପାଣ୍ଡିଆନ ଏଥର ଦଳର ଆଉ କୌଣସି ପୁରୁଖା ନେତାଙ୍କୁ ଆଗକୁ ଛାଡି ନାହାଁନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ତାରକା ପ୍ରଚାରକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିୟାନ । ପୁରୁଖା ନେତାଙ୍କୁ ଅଣଦେଖା କରି ପାଣ୍ଡିଆନ ଯେଉଁ ଗୋଟି ଚଳାଉଛନ୍ତି, ତାକୁ ନେଇ ଦଳ ଭିତରେ ପ୍ରଚଣ୍ଡ ଅସନ୍ତୋଷ ସୃଷ୍ଟି ହେଉଛି । ଭିତରେ ଭିତରେ ପୁରୁଖା ନେତାମାନେ ବି ଚେର କାଟିବା ଆରମ୍ଭ କଲେଣି । ଜଣେ ପୁରୁଖା ନେତାଙ୍କ କହିବା କଥା, ଦଳ ଏଥର ଶହେପାର୍ କରିବାର ପ୍ରଶ୍ନ ଉଠୁନି । ଅନ୍ୟପଟରେ ଓଡିଶା ଦଖଲ ଅଭିଯାନ ପାଇଁ ରଣନୀତି ତିଆରି କରିଥିବା ବିଜେପି ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ଯାଏଁ ନ ଯାଇ ପାରିଲେ ବି ପଚାଶ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଯଦି ବିଧାନସଭାରେ ବିଜେପି ପଚାଶ ଆସନ ହାସଲ କରେ, ତେବେ ଖେଳ ଅଲଗା ପ୍ରକାରର ହେବ ବୋଲି କୁହାଯାଉଛି । ପାଣ୍ଡିଆନ ମଧ୍ୟ ଏମିତି ଆଶଙ୍କା କଲେଣି । ଭୋଟ ପରେ ବିଜେପି ସେମାନଙ୍କ ଦଳ ଭାଙ୍ଗିବାକୁ ମସୁଧା କରୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here