ଶେଷରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନତ ଗଡତିଆ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ । ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିରୁ ଗଡ଼ତିଆ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ପରାଜୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ ୫୩,୪୮୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେହି ନିର୍ବାଚନରେ ମୋଟ ୧,୮୫,୦୨୪ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ମାତ୍ର ୧୪,୩୪୪ ଖଣ୍ଡ ଭୋଟ ପାଇଥିଲେ।
ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ। ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ଦିଆଯାଇଥିଲା। ସେ ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ନିଜେ ମୁଖ୍ୟମନ୍ତ୍ରୀ ଲଢ଼ିଥିଲେ। ଆଉ ଦୁଇଟି ଯାକ ବିଧାନସଭା ଆସନରୁ ସେ ଜିତିଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ।

ସେହିପରି କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ।

LEAVE A REPLY

Please enter your comment!
Please enter your name here