ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାବହତା ଦେଖିବା ପରେ ବିଭିନ୍ନ ସମୟରେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଆକଳନ ହୋଇଆସିଛି I ଆଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରିବାରେ ସବୁ ରାଷ୍ଟ୍ର ଲାଗି ପଡିଛନ୍ତି I ଆମେରିକା ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗର୍ବ କରିବା ସହ ବିଭିନ୍ନ ସମୟରେ ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରୁଛି I ଆମେରିକା ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ରୁଷିଆ ଓ ଚୀନ ମଧ୍ୟ ନିଜକୁ ଶକ୍ତିଶାଳୀ କରିବାରେ ଲାଗିଛନ୍ତି I ଅପେକ୍ଷା କରିଥିଲେ ତୃତୀୟ ବିଶ୍ବଯୁଦ୍ଧର ଆହ୍ବାନକୁ I କେତେବେଳେ ଯୁଦ୍ଧ ହେଲେ ଅନ୍ୟରାଷ୍ଟ୍ର ଉପରେ ନିଜର ପରାକ୍ରମ ଦେଖାଇବେ I ମାତ୍ର ବିନା ଘୋଷଣା ଓ ବିନା ଅସ୍ତ୍ରଶସ୍ତ୍ରରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯିବ ବୋଲି କେହି କେବେ କଳ୍ପନା କରି ନଥିଲେ I ଗୋଟିଏ କି ଦୁଇଟି ରାଷ୍ଟ୍ର ନୁହେଁ, ଦୁଇ ଗୋଷ୍ଠୀ ରାଷ୍ଟ୍ର ମଧ୍ୟରେ ନୁହେଁ, ବିଶ୍ବର ଗୋଟିଏ ଦୁଇଟି ରାଷ୍ଟ୍ରକୁ ବାଦଦେଲେ ଏବେ ସବୁ ରାଷ୍ଟ୍ର ଯୁଦ୍ଧରେ ସାମିଲ ହୋଇସାରିଛନ୍ତି I ବିନା ଅସ୍ତ୍ରରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ସବୁ ରାଷ୍ଟ୍ର I କେଉଁଠି କର୍ଫ୍ୟୁ ତ ଆଉ କେଉଁଠି ଲକ୍ ଡାଉନ୍ I ଗୋଟିଏ କି ଦୁଇଟି ଦେଶ ନୁହେଁ, ପୁରା ବିଶ୍ବରେ ଏବେ ନିରବତା I ଯାହା କେବେ ଇତିହାସରେ ହୋଇ ନଥିଲା I ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ବି ଶତ୍ରୁ ନିକଟରେ ମାଟି କାମୁଡି ପଡିଛି I ଫ୍ରାନ୍ସ, ଇଟାଲୀ ଭଳି ୟୁରୋପୀୟ ରାଷ୍ଟ୍ର ବି ଅସହାୟ ହୋଇପଡିଛନ୍ତି I ଏବେ ଆସନ୍ତୁ ଭାରତକୁ I କେବଳ କ୍ୟାପିଟାଲ ସିଟି ଦିଲ୍ଲୀ ଅଥବା ବିଜିନେସ ସିଟି ମୁମ୍ବାଇ ନୁହେଁ, ଆକୁମାରୀ ହିମାଚଳ ଅର୍ଥାତ୍ ସମଗ୍ର ଦେଶବାସୀ ଭୟଭୀତ I ମୋଦି ସରକାର ଅପ୍ରେଲ 15 ପର୍ଯ୍ୟନ୍ତ ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି I ଘରୁ ପଦାକୁ ନ ବାହାରିବାକୁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି I ରାସ୍ତାଘାଟ ଶୂନଶାନ I ସରକାରୀ, ବେସରକାରୀ ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ I ସ୍କୁଲ, କଲେଜ ବନ୍ଦ I ଅଟୋରିକ୍ସାଠୁ ଟ୍ରେନ ଓ ବିମାନ ଚଳାଚଳ ବି ବନ୍ଦ I ଅଳ୍ପକିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଓ ସଂସ୍ଥାକୁ ବାଦଦେଲେ ଏବେ ଦେଶରେ ସବୁ ବନ୍ଦ I ଗାଁ ଠୁ ସହର ସବୁଠି ପୋଲିସର ନାକାବନ୍ଦୀ I ଶତ୍ରୁ ପ୍ରତି ମନରେ ଭୟ I କେବଳ ଘର ଭିତରେ ଲୁଚି ରହିଲେ ହିଁ ଶତ୍ରୁ ଆକ୍ରମଣରୁ ନିଜକୁ ଓ ଦେଶକୁ ରକ୍ଷା କରାଯାଇପାରିବ I ଇଏ ଏମିତିକା ଶତ୍ରୁ ଯେ, କୌଣସି ରାଷ୍ଟ୍ରର ଶକ୍ତିଶାଳୀ ସେନା ତାକୁ ମୁକାବିଲା କରିବା ସମ୍ଭବ ନୁହେଁ I ଏମିତି ଏକ ଭାଇରସ ଆସିବ, ଏବଂ ସମଗ୍ର ବିଶ୍ବକୁ ଥରହର କରିବ ଏକଥା କେହି ସ୍ବପ୍ନରେ ଭାବି ନ ଥିଲେ I ମାତ୍ର ସମଗ୍ର ବିଶ୍ବ ଏବେ ଏକ ହୋଇ କରୋନା ଭାଇରସ ବିରୋଧରେ ଲଢେଇ କରୁଛି I ଇଏ ତୃତୀୟ ବିଶ୍ବଯୁଦ୍ଧ ନୁହେଁ ତ ଆଉ କଣ ?

LEAVE A REPLY

Please enter your comment!
Please enter your name here