କରୋନା ଭାଇରସରେ ସମଗ୍ର ବିଶ୍ୱ ଏବେ କବଳିତ । ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି ଏହି କରୋନା । ଏହି ଭାଇରସ କବଳରୁ କେମିତି ମୁକୁଳିବେ ବୋଲି ଚିନ୍ତା କରୁଥିବା ବେଳେ ଚୀନରେ ଆଉ ଏକ ଭାଇରସ “ହନ୍ତା” ମୁଣ୍ଡ ଟେକିଲାଣି । ଏଥିରେ ଜଣଙ୍କର ମୃତ୍ୟୁ ବି ହେଲାଣି । ଏହି ଭାଇରସ ଏବେ ଚୀନ ବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚୀନର ୟୁନାନ ପ୍ରଦେଶରେ ଜଣେ ବ୍ୟକ୍ତି ବସରେ ଯାତ୍ରା କରୁଥିବାବେଳେ ଏହି ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ସହ ବସରେ ଯାତ୍ରା କରୁଥିବା ଅନ୍ୟ ୩୨ଜଣ ଏବେ ଏହି ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନଙ୍କ ଭିିତରେ ଆତଙ୍କ ଖେଳି ଯାଇଛି । ହନ୍ତା ଭାଇରସ କରୋନା ଭଳି ମହାମାରୀର ରୂପ ନେଇପାରେ ବୋଲି ଲୋକେ ବର୍ତ୍ତମାନ ଭୟଭୀତ । ତେବେ ଏ ହନ୍ତା ଭାଇରସ କଣ? ଏହି ରୋଗ କେମିତି ହୁଏ ? ଏହାର ଲକ୍ଷଣ କଣ? ସମସ୍ତେ ଏବେ ସୋସିଆଲ ମିଡିଆରେ ସର୍ଚ୍ଚ କରିବାରେ ଲାଗିଛନ୍ତି । ସୂଚନାଅନୁଯାୟୀ ଏହି ହନ୍ତା ଭାଇରସ ମୂଷା ଦ୍ୱାରା ବ୍ୟାପିଛି । ଏହି ଭାଇରସ ମୂଷାମାନଙ୍କ ଠାରୁ ମଣିଷ ଶରୀରକୁ ଆସିଥାଏ । ମୂଷାର ମଳ, ମୁତ୍ର ଓ ଲାଳ କିମ୍ବା କାମୁଡା ଯୋଗୁଁ ଏହା ହୋଇଥାଏ । ଯଦି ଜଣେ ସୁସ୍ଥ ବ୍ୟକ୍ତି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଛି । ସେହିଭଳି ମୂଷା କିମ୍ବା ଏହି ରୋଗରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଯଦି ଜଣେ ବ୍ୟକ୍ତି ତାର ଆଖି, ନାକ କିମ୍ବା ମୁହଁକୁ ଛୁଇଁବ ତେବେ ରୋଗ ବ୍ୟାପିବାର ଆଶଙ୍କା ବଢିଯିବ । ହନ୍ତା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପେଟ ଯନ୍ତ୍ରଣା, ବାନ୍ତି ଓ ଝାଡା ଭଳିି ଲକ୍ଷଣ ଦେଖାଯାଇଥାଏ । ଯଦି ଏଦି ଲକ୍ଷଣ ଦେଖାଯିବା ପରେ ଚିକିତ୍ସା ନ କରାଯାଏ ତେବେ ଫୁସଫୁସ ଭିତରେ ପାଣି ଭରିଯିବା ସହ ଶ୍ୱାସକ୍ରିୟାରେ ଅସୁବିଧା ହେବ ଏବଂ ଶେଷରେ ମୃତ୍ୟୁ ହୋଇଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ଏହା କରୋନା ପରି ଘାତକ ହେବାର ସମ୍ଭାବନା ଅଛି । ଚୀନର ଲୋକେ ଯଦି ପଶୁ ଖାଇବା ବନ୍ଦ ନ କରନ୍ତି ତେବେ ଏହିପରି ଘାତକ ଜୀବାଣୁ ମାନବ ସମାଜ ପାଇଁ ବିପଦ ଆଣିଦେବ । ତେବେ ହନ୍ତା ଭାଇରସ ମହାମାରୀର ରୂପ ନେବା ପୂର୍ବରୁ ଏହାକୁ ରୋକିବା ଲାଗି ଚୀନ ପ୍ରୟାସ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here