ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି ବୁଲି ସହରକୁ ପରିଷ୍କାର କରିବାରେ ଲାଗିଛନ୍ତି । ବ୍ୟବସାୟୀଙ୍କୁ ସାମଗ୍ରୀ ଉଠାଇବାକୁ ବି ସମୟ ଦେଉନାହାଁନ୍ତି । ଛୋଟମୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ପରିବାର ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ବର୍ଷ ବର୍ଷ ଧରି ସେମାନେ ସମ୍ବଳ ଯୋଗାଡ କରି ବ୍ୟବସାୟ କରି ଦି ପଇସା ରୋଜଗାର କରୁଥିବା ବେଳେ ରାଜ୍ୟରେ ନୂଆ କରି ଆସିଥିବା ବିଜେପି ସରକାର ସେମାନଙ୍କ ଆର୍ଥିକ ବ୍ୟବସ୍ଥାକୁ ଭାଙ୍ଗି ଚୁରମାର୍ କରିଦେଇଛି । ବିକଳ୍ପ ବ୍ୟବସ୍ଥା ନ କରି ହଜାର ହଜାର ଲୋକଙ୍କ ରୋଜଗାର ଉପରେ ବୁଲଡୋଜର ପ୍ରହାର କରି ରାଜ୍ୟର ମୋହନ ମାଝୀ ସରକାର ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀକୁ ସଜ କରାଇବା କେତେଦୂର ଯୁକ୍ତିସଙ୍ଗତ ?
ଆସନ୍ତା 8 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ହେବ ଅଷ୍ଟାଦଶତମ ପ୍ରବାସୀ ଭାରତୀୟ ଦିବସ ପାଳନ । ଏହି ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ । ବିଦେଶରେ ରହୁଥିବା ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀ ରାସ୍ତାକଡେ ରହୁଥିବା ହଜାର ହଜାର ଗରିବ ବାସିନ୍ଦାଙ୍କୁ ବେଘର କରିବାକୁ ପଛଉ ନାହାଁନ୍ତି । ପ୍ରବାସୀ ଭାରତୀୟଙ୍କୁ ରାଜଧାନୀ ଭୁବନେଶ୍ବରର ଚାକଚକ୍ୟ ଦେଖାଇବାକୁ ପ୍ରୟାସ ଚାଲିଛି । ବିଶ୍ବସ୍ତରୀୟ ବିକାଶରେ ଭୁବନେଶ୍ବର ସାମିଲ ହୋଇଛି ଏବଂ ଆଉ ଭୁବନେଶ୍ବରରେ କେହି ଗରିବ ନାହାଁନ୍ତି ବୋଲି ଜଣାଇବାକୁ ଉଦ୍ୟମ କରୁଛନ୍ତି ମୋହନ । ମାତ୍ର ଯେତେ ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇଲେ ବି ରାଜ୍ୟର ବିକାଶ ସାଧନ ହେବ ନାହିଁ । ଆର୍ଥିକ ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ପରିବର୍ତ୍ତେ ଲୋକଙ୍କ ଜୀବିକା ଉପରେ ବୁଲଡୋଜର ଚଲେଇବା କେତେଦୂର ଯୁକ୍ତିଯୁକ୍ତ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here