ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଆମେରିକା । କାରଣ ହେଉଛି, ଏହି କମ୍ପାନୀଗୁଡ଼ିକ ଇରାନ ସହ ବ୍ୟବସାୟ କରୁଥିଲେ, ଯେଉଁଥିରୁ ଇରାନ ଆପଣାର ଆୟର ଏକ ଅଂଶ ଯୁଦ୍ଧ ଓ ଆତଙ୍କବାଦରେ ଖର୍ଚ୍ଚ କରୁଛି । ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, “ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି । ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ।” ଆମେରିକାର ବୈଦେଶିକ ବିଭାଗ ବୁଧବାର ଦିନ ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନିକୁ ବ୍ୟାନ୍ କରିଛି, ଯେଉଁଥିରେ ଛଅଟି ଭାରତୀୟ କମ୍ପାନି ମଧ୍ୟ ସାମିଲ ଅଛି ।
ଆମେରିକା ଭାରତର ଆଲକେମିକାଲ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ସ ଲିମିଟେଡ୍, ଜୁପିଟର୍ ଡାଏ କେମ୍ ପ୍ରାଇଭେଟ୍ ଲିମିଟେଡ୍, ରାମନିକଲାଲ୍ ଏସ୍ ଗୋସାଲିଆ ଆଣ୍ଡ୍ କମ୍ପାନି, ପର୍ସିଷ୍ଟେଣ୍ଟ୍ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କାଞ୍ଚନ ପଲିମର୍ସ କମ୍ପାନିକୁ ବ୍ୟାନ୍ କରିଛି ।













