ଦୟାକରି ଗେଟ୍ ଭିତରକୁ କେହି ପ୍ରବେଶ କରନ୍ତୁ ନାହିଁ । ସାବଧାନ୍ । କାହିଁକି ନା ଗାଁ ଭିତରେ ଚାଲିଛି ପୂଜା । ଗାଁ ଭିତରକୁ ଅନ୍ୟ ଗାଁର ଲୋକେ ପ୍ରବେଶ କରିପାରିବେ ନାହିଁ । ଆଉ ବିନା ଅନୁମତିରେ ପ୍ରବେଶ କଲେ ଜରିମାନା ରହିଛି ୫ ହଜାର ଟଙ୍କା । ଏମିତି ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଖୁଂଟିବାଡି ଗ୍ରାମବାସୀ । ଗାଁରେ ଭୁତ ପ୍ରେତକୁ ସନ୍ତୁଷ୍ଟ କରିବା ପାଇଁ ଚାଲିଛି ମୁଦ୍ରା ପୂଜା । ବାଜା ବାଜଣା ସାଙ୍ଗକୁ ଗାଁ ଠାକୁରାଣୀଙ୍କୁ ପୂଜା କରି ସନ୍ତୁଷ୍ଟ କରାଯାଉଛି । ଗତ ୧୭ ତାରିଖରୁ ଏମିତି ପୂଜା ଆରମ୍ଭ ହୋଇଥିବାବେଳେ ଖୁଂଟି ବାଡି ଗାଁ ମୁଣ୍ଡରେ ଏକ ଗଛରେ ପୋଷ୍ଟର ଲଗାଇ ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ଗାଁ ଭିତରକୁ କୌଣସି ସଂପର୍କୀୟ ଆସିପାରୁନାହାଁନ୍ତି । ୨୫ ବର୍ଷକୁ ଥରେ ଗାଁରେ ଏପରି ପୂଜା କରାଯାଉଛି । ଏହି ମୁଦ୍ରା ପୂଜା କଲେ ଗ୍ରାମବାସୀଙ୍କ ମଙ୍ଗଳ ହେବା ସହ କେହି ରୋଗ ବଇରାଗରେ ପଡିବେ ନାହିଁ ବୋଲି ବିଶ୍ୱାସ ରହିଛି ।ଅନ୍ୟପଟେ ଖୁଂଟିବାଡି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଦୁଇ ଦିନ ଧରି ପାଠ ପଢା ଠପ୍ ହୋଇଯାଇଥିଲା । ଗ୍ରାମବାସୀଙ୍କ ଫତୁଆ ଭୟରେ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ । ତେବେ ଲଗାତାର ତିନିଦିନ ଧରି ଗ୍ରାମରେ ଏପରି ଅବସ୍ଥା ଉପୁଜିବା ପରେ ମଧ୍ୟ ପ୍ରଶାସନ ତରଫରୁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା କରାଯାଇନାହିଁି । ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାୟଗଡା ଏସପି । ପ୍ରଶ୍ନ ଉଠୁଛି, ଭୁତପ୍ରେତକୁ ନେଇ ଚାଲିଥିବା ପୂଜାର୍ଚ୍ଚନାରେ ସ୍କୁଲ ବନ୍ଦ ହୋଇଯାଉଛି । ପାଠପଢା ବନ୍ଦ ହୋଇଯାଉଛି । ଅଥଚ ପ୍ରଶାସନ ପାଖରେ ଖବର ନାହିଁ କେମିତି ..













