ରାହୁଲ ଗାନ୍ଧୀ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇବା ପରେ, ଏହାକୁ ନେଇ ରାଜନୀତି ବେଶ୍ ସରଗରମ ହୋଇଛି । ନିର୍ବାଚନ ଆୟୋଗଙ୍କ ଉପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଚିହ୍ନ ଲଗାଇ ଚାଲିଛନ୍ତି ରାହୁଲ । ଏମିତି କି ଏହାକୁ ନେଇ ସେ ଗୋଟିଏ ଓ୍ୱେବପେଜ୍ ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଥିରେ ସେ ଲୋକଙ୍କ ସମର୍ଥନ ମଧ୍ୟ ମାଗିଛନ୍ତି ।
ଗତ ଅଗଷ୍ଟ ମାସ ୭ ତାରିଖରେ ଇଣ୍ଡିଆ ବ୍ଲକର ନେତାଙ୍କୁ ନେଇ ରାହୁଲ ଏକ ଡିନର୍ ଆୟୋଜନ କରିଥିଲେ । ଯେଉଁଥିରେ ୫୦ରୁ ଅଧିକ ବିରୋଧୀ କ୍ୟାମ୍ପର ନେତା ସାମିଲ ହୋଇଥିଲେ । ଆଉ ଏବେ ରାହୁଲଙ୍କ ନେତୃତ୍ୱରେ ବିରୋଧୀମାନେ ଏକାଠି ନଜର ଆସିଛନ୍ତି । ରାଜନୈତିକ ପଣ୍ଡିତଙ୍କ କହିବା ଅନୁସାରେ, ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀମାନଙ୍କୁ ଏକାଠି କରିପାରିଛି । ଅଖିଳେଶ ଯାଦବ, ତେଜସ୍ୱୀ ଯାଦବଙ୍କ ଭଳି ନେତା ଏବେ ରାହୁଲଙ୍କ ସହ ସ୍ୱର ମିଳାଇଛନ୍ତି । ଏହାବାଦ୍ ଶରତ ପାଓ୍ୱାର, ଟିଏମସିର ନେତା ଅଭିଷେକ ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ରାହୁଲଙ୍କ ସହ କାନ୍ଧ ମିଳାଇଛନ୍ତି । ଯାହାକି ବିରୋଧୀଙ୍କୁ ଏକ ନୂଆ ବଳ ଦେଇପାରିବ ।














