ମହାଗଠବନ୍ଧନରେ ସାମିଲ ହେବା ନେଇ ସବୁ ସମ୍ଭାବନାରେ ପୂର୍ଣ୍ଣଛେଦ ପକାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହାଗଠବନ୍ଧନରେ ଆମେ ସାମିଲ ହେବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବ ନାହିଁ । ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଛେଦ ପକାଇଛନ୍ତି। କହିଛନ୍ତି ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚିନ୍ତା କରାଯାଇ ନାହିଁ।
ତେବେ ଗତ କିଛି ଦିନ ହେବ ବିଜେପି ସହ ବିଜେଡିର ମହାଗଠବନ୍ଧନ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଗସ୍ତ ପରେ ଜାତୀୟ ସ୍ତରରେ ତୃତୀୟ ବିକଳ୍ପ ଶକ୍ତି ତିଆରି କରିବା ସମ୍ଭାବନା ସ୍ୱଷ୍ଟ ହେଉଥିଲା । ଏପରିକି ଗତକାଲି ନୂଆଦିଲ୍ଲୀରେ ମହାଗଠବନ୍ଧନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେବାକୁ ତାଙ୍କୁ ଆଉ କିଛି ସମୟ ଦରକାର ବୋଲି କହିଥିଲେ । ମାତ୍ର ସବୁ ସମ୍ଭାବନା ଉପରେ ଆଜି ନବୀନ ପୂର୍ଣ୍ଣଛେଦ ଟାଣିଛନ୍ତି ।