ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୭ ତାରିଖ ଅପରାହ୍ନରେ ବାତ୍ୟା ‘ପେଥାଇ’ଆନ୍ଧ୍ରର ମଛଲିପଟ୍ଟନମ୍ ଓ କାକିନାଡା ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଉତର ତାମିଲନାଡୁ ଏବଂ ପୁଡୁଚେରୀକୁ ମଧ୍ୟ ବାତ୍ୟା ପ୍ରଭାବିତ କରିବା ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆଜିଠାରୁ ଆନ୍ଧ୍ରପ୍ରଦେଶର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ ତାରିଖ ବେଳକୁ ଉପକୂଳ ଆନ୍ଧ୍ରରେ ପ୍ରବଳ ବର୍ଷିବ । ବାତ୍ୟା ‘ପେଥାଇ’ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୧୧୦ କିଲୋମିଟର ଯାଏଁ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଏହିସବୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠାରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଓ କାଲି ପ୍ରବଳ ବର୍ଷା ଏବଂ ୧୮ ତାରିଖରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାର ୬ଟି ଜିଲ୍ଲା ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହେବା ସମ୍ଭାବନା ଥିବାରୁ ପାଚିଲା ଧାନକୁ ତୁରନ୍ତ ଜମିରୁ ଆଣି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।